ନ୍ୟୁଜ ଡେକ୍ସ : ରାଜ୍ୟର ବିଭିନ୍ନ ସହରରେ ଏବେ ପେଟ୍ରୋଲ ପମ୍ପ ଆଗରେ ଦେଖିବାକୁ ମିଳୁଛି କିଲୋମିଟର ଲମ୍ବା ଧାଡ଼ି। ଖରାତରା ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଲୋକେ ଗାଡ଼ିରେ ତେଲ ପକାଇବା ପାଇଁ ଅପେକ୍ଷା କରୁଛନ୍ତି। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ବାଲେଶ୍ୱର ଓ ବଲାଙ୍ଗୀର ସହିତ ପ୍ରାୟ ସବୁଠି ସମାନ ଚିତ୍ର ଦେଖିବାକୁ ମିଳିଛି। ଅନେକ ପେଟ୍ରୋଲ ପମ୍ପରେ ‘ନୋ ଷ୍ଟକ୍’ ବୋର୍ଡ ଝୁଲୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଆହୁରି ବଢ଼ିଛି।
ଗୋଟିଏ ପଟେ ରାଜ୍ୟ ସରକାର ଏବଂ ତୈଳ କମ୍ପାନୀମାନେ ରାଜ୍ୟରେ ଇନ୍ଧନର କୌଣସି ଅଭାବ ନଥିବା ଦାବି କରୁଥିବା ବେଳେ, ଅନ୍ୟପଟେ ଗ୍ରାଉଣ୍ଡ ଜିରୋର ସ୍ଥିତି ଭିନ୍ନ ଚିତ୍ର ଦେଖାଉଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଓ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧିର ଆଶଙ୍କା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ମିଳିବନି କିମ୍ବା ଦର ହଠାତ୍ ବଢ଼ିଯିବ ବୋଲି ଆଶଙ୍କାରେ ଲୋକେ ଆତଙ୍କିତ ହୋଇ ପମ୍ପମୁଖୀ ହେଉଛନ୍ତି। ଏହି ଆତଙ୍କରେ ଅନେକେ ଆବଶ୍ୟକତାଠାରୁ ଅଧିକ ତେଲ ଗାଡ଼ିରେ ଭରୁଥିବା ସହ କିଛି ସ୍ଥାନରେ ବଡ଼ ଜାରରେ ଗଛିତ ରଖୁଛନ୍ତି। ଫଳରେ ପେଟ୍ରୋଲ ପମ୍ପରେ ଥିବା ଷ୍ଟକ୍ ଅଚାନକ ଶେଷ ହୋଇଯାଉଛି।
ପରିସ୍ଥିତିକୁ ଦେଖି କିଛି ପମ୍ପ ମାଲିକ ବାଇକ୍ ପାଇଁ ୨୦୦ ଟଙ୍କା ଓ କାର୍ ପାଇଁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ତେଲ ସୀମିତ କରିଦେଇଛନ୍ତି।ସ୍ଥିତିକୁ ନେଇ ରାଜ୍ୟ ସରକାର ସଫେଇ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ନିଅଣ୍ଟିଆ ପରିସ୍ଥିତି ନାହିଁ ଏବଂ ସରକାର ସମଗ୍ର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଯୋଗାଣ ବିଭାଗ ମଧ୍ୟ କଳାବଜାରୀ କିମ୍ବା ତେଲ ଗଛିତ ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି।ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ମୁଖ୍ୟ ସାଧାରଣ ପ୍ରବନ୍ଧକ କମଳ ଶୀଲ କହିଛନ୍ତି ଯେ ତୈଳ କମ୍ପାନୀମାନଙ୍କ ପାଖରେ ଆଗାମୀ ୧୦ ରୁ ୧୩ ଦିନ ପାଇଁ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ଅଛି। ଅନ୍ୟପଟେ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ମଧ୍ୟ ଲୋକଙ୍କୁ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି। ତେବେ ଗ୍ରାଉଣ୍ଡ ଜିରୋରେ ସମସ୍ୟା ଗଭୀର ରହିଛି। ଭୁବନେଶ୍ୱରର କଳ୍ପନା ଛକ, ଜୟଦେବ ବିହାର ଓ କଟକର ଲିଙ୍କ୍ ରୋଡ୍ରେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍ ଯୋଗୁଁ ଟ୍ରାଫିକ୍ ବ୍ୟବସ୍ଥା ପ୍ରାୟ ଠପ୍ ହୋଇଯାଇଛି।
ଏହାର ପ୍ରଭାବ କୃଷି କ୍ଷେତ୍ର ଉପରେ ମଧ୍ୟ ପଡ଼ିଛି। ଡିଜେଲ ଅଭାବରୁ ଚାଷୀମାନେ ଜଳସେଚନ ପମ୍ପ ଚଲାଇ ପାରୁନଥିବା ବେଳେ, ପୁରୀ ଓ ଚିଲିକାରେ ପର୍ଯ୍ୟଟନ ସେବା ମଧ୍ୟ ପ୍ରଭାବିତ ହୋଇଛି।ଘରୋଇ ବସ୍ ମାଲିକ ସଂଘର ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ ଡିଜେଲ ଉପଲବ୍ଧ ନହେବାରୁ ପ୍ରାୟ ୨୦୦୦ ବସ୍ ଚଳାଚଳ ସାମୟିକ ଭାବେ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ, ଯଦି ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ଅଛି, ତେବେ ସମୟରେ ପମ୍ପଗୁଡ଼ିକୁ ଯୋଗାଣ କାହିଁକି ହେଉନାହିଁ।ବର୍ତ୍ତମାନ ସମୟରେ ସରକାର ଲୋକଙ୍କୁ ଆତଙ୍କିତ ନହୋଇ କେବଳ ଆବଶ୍ୟକତା ଅନୁଯାୟୀ ଇନ୍ଧନ କିଣିବାକୁ ପରାମର୍ଶ ଦେଇଛନ୍ତି।

