Thu. Jun 4th, 2026

ନ୍ୟୁଜ ଡେକ୍ସ : ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବିନ। ଦଳର ସର୍ବୋଚ୍ଚ ପଦବୀ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏହି ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।ସୂଚନା ଅନୁସାରେ ରାଷ୍ଟ୍ରୀୟ ସଭାପତି ଆଜି ରାତି ୧୦ଟା ୩୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ।

ନୂତନ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଆସନ୍ତା ୧୮ ତାରିଖରେ ଶ୍ରୀ ନବିନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟକ୍ରମ ରହିଛି। ଜଟଣୀରେ ଆୟୋଜିତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପ୍ରଶିକ୍ଷଣ ଶିବିରକୁ ସେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ।

ଏହା ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିବେ। ପୁରୀରୁ ଫେରିବା ପରେ ଭୁବନେଶ୍ୱରରେ ବିଜେପି କୋର୍ କମିଟି, ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଓ ଦଳର ମନ୍ତ୍ରୀମାନଙ୍କ ସହ ସେ ବିସ୍ତୃତ ଆଲୋଚନା କରିବେ। ଏହି ଗସ୍ତକୁ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *