Thu. Jun 18th, 2026

ନ୍ୟୁଜ ଡେକ୍ସ : ଯୁବ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନ ବିପକ୍ଷରେ ଏକ ଚମତ୍କାର ଏବଂ ସ୍ମରଣୀୟ ବିଜୟ ହାସଲ କରିଛି। ଲକ୍ଷ୍ନୌସ୍ଥିତ ଇକାନା କ୍ରୀଡ଼ାଙ୍ଗନରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମୁକାବିଲାରେ ଭାରତ ୧୭୦ ରନର ବିଶାଳ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଚଳିତ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ନିଜ ନାମରେ କରିନେଇଛି। ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଭାରତୀୟ ଖେଳାଳିମାନେ ଆଧିପତ୍ୟ ବିସ୍ତାର କରି ପ୍ରତିପକ୍ଷ ଦଳକୁ ସମ୍ପୂର୍ଣ୍ଣ ଭାବେ ଚାପରେ ରଖିଥିଲେ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଅଧିନାୟକ ଶୁଭମନ ଗିଲ ଓ ୱିକେଟ ରକ୍ଷକ ବ୍ୟାଟର ଈଶାନ କିଷନ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଶୁଭମନ ଗିଲ ଅତ୍ୟନ୍ତ ଚମତ୍କାର ବ୍ୟାଟିଂ କରି ୧୧୦ଟି ବଲରୁ ୧୫୪ ରନ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୨୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଅନ୍ୟପଟେ ଈଶାନ କିଷନ ମଧ୍ୟ ଦର୍ଶନୀୟ ବ୍ୟାଟିଂ କରି ୭୯ଟି ବଲରୁ ୧୨୫ ରନ ସଂଗ୍ରହ କରିଥିଲେ। ସେ ୧୪ଟି ଚୌକା ଓ ୭ଟି ଛକା ମାରି ଆଫଗାନିସ୍ତାନ ବୋଲରମାନଙ୍କୁ ନିରୁତ୍ତର କରିଦେଇଥିଲେ।ଏହି ଦୁଇ ଖେଳାଳିଙ୍କ ଶତକୀୟ ପ୍ରଦର୍ଶନ ବଳରେ ଭାରତ ୪୦୦ ରନର ସୀମା ଅତିକ୍ରମ କରିଥିଲା। ରୋହିତ ଶର୍ମା ୪୮ ରନ କରି ଅର୍ଦ୍ଧଶତକରୁ ଅଳ୍ପକେ ବଞ୍ଚିତ ହୋଇଥିବା ବେଳେ ଶ୍ରେୟସ ଆୟର ୨୬ ରନ ଏବଂ ୱାଶିଂଟନ ସୁନ୍ଦର ୧୯ ରନ ଯୋଗ କରିଥିଲେ। ଦଳ ୪୯.୫ ଓଭରରେ ସମସ୍ତ ୱିକେଟ ହରାଇ ୪୦୨ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ତେବେ କେ.ଏଲ. ରାହୁଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ନିରାଶ କରିଥିଲେ।୪୦୩ ରନର କଷ୍ଟସାଧ୍ୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆଫଗାନିସ୍ତାନ ଦଳ ଆରମ୍ଭରୁ ହିଁ ଚାପରେ ରହିଥିଲା।

ଭାରତୀୟ ବୋଲରମାନଙ୍କ ଶୃଙ୍ଖଳିତ ଓ ଆକ୍ରମଣାତ୍ମକ ବୋଲିଂ ଆଗରେ ଆଫଗାନିସ୍ତାନ ବ୍ୟାଟରମାନେ ବେଶୀ ସମୟ ତିଷ୍ଠି ପାରିନଥିଲେ। ରହମତ ଶାହ ସର୍ବାଧିକ ୭୯ ରନ କରି ସଂଘର୍ଷ କରିଥିଲେ। ସେଦିକୁଲ୍ଲା ଅଟଲ ୪୨ ରନ ଓ ରହମନୁଲ୍ଲା ଗୁରବାଜ ୪୧ ରନ କରିଥିବା ବେଳେ ଇବ୍ରାହିମ ଜାଦ୍ରାନ ୨୧ ରନ ଓ ରାଶିଦ ଖାନ ୧୨ ରନ କରିଥିଲେ। ଅଧିନାୟକ ହଶମତୁଲ୍ଲା ଶାହିଦି ମାତ୍ର ୪ ରନ କରି ଫେରିଯାଇଥିଲେ।ଭାରତୀୟ ବୋଲରମାନେ ମଧ୍ୟ ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ। ଅର୍ଶଦୀପ ସିଂ ଓ ଗୁରନୁର ବରାର ୩ଟି ଲେଖାଏଁ ୱିକେଟ ଦଖଲ କରି ଆଫଗାନିସ୍ତାନର ବ୍ୟାଟିଂ କ୍ରମକୁ ଭାଙ୍ଗି ଦେଇଥିଲେ।

ପଦାର୍ପଣ ମୁକାବିଲା ଖେଳୁଥିବା ଯୁବ ବୋଲର ପ୍ରିନ୍ସ ଯାଦବ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ୨ଟି ୱିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୱାଶିଂଟନ ସୁନ୍ଦର ମଧ୍ୟ ଗୋଟିଏ ୱିକେଟ ଦଖଲ କରି ଦଳର ବିଜୟରେ ଅବଦାନ ରଖିଥିଲେ।ବ୍ୟାଟିଂରେ ଶୁଭମନ ଗିଲ ଓ ଈଶାନ କିଷନଙ୍କ ବିସ୍ଫୋରକ ପ୍ରଦର୍ଶନ ଏବଂ ବୋଲିଂରେ ଅର୍ଶଦୀପ ସିଂ ଓ ଗୁରନୁର ବରାରଙ୍କ ଘାତକ ପ୍ରଦର୍ଶନ ବଳରେ ଭାରତ ଏହି ମୁକାବିଲାରେ ଏକତରଫା ବିଜୟ ହାସଲ କରିଛି। ଏହି ବିଜୟ ଭାରତୀୟ ଦଳର ଆତ୍ମବିଶ୍ୱାସକୁ ଆହୁରି ସୁଦୃଢ଼ କରିଥିବା ବେଳେ ଯୁବ ଖେଳାଳିମାନଙ୍କ ପ୍ରଦର୍ଶନ ଆଗାମୀ ଦିନ ପାଇଁ ନୂଆ ଆଶା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *