ନ୍ୟୁଜ ଡେକ୍ସ : ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନରେ ବିଳମ୍ବକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି।ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଜାରି କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ତିନି ମାସରୁ ଅଧିକ ସମୟ ଧରି ଲକ୍ଷ ଲକ୍ଷ ହିତାଧିକାରୀ ଭତ୍ତା ପାଇନଥିବାରୁ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଭତ୍ତା ଉପରେ ନିର୍ଭର କରି ଚଳୁଥିବା ଅନେକ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।
ସେ କହିଛନ୍ତି, ନିର୍ବାଚନ ସମୟରେ ଭତ୍ତା ବୃଦ୍ଧିର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ବର୍ତ୍ତମାନ ପୂର୍ବରୁ ମିଳୁଥିବା ଭତ୍ତାକୁ ମଧ୍ୟ ନିୟମିତ ଭାବେ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଏହା ବୃଦ୍ଧ, ବିଧବା ଏବଂ ଅନ୍ୟ ଦୁର୍ବଳ ବର୍ଗର ଲୋକଙ୍କ ମଧ୍ୟରେ ହତାଶା ସୃଷ୍ଟି କରିଛି।ନବୀନ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ, ଭତ୍ତା ନ ମିଳିବା କାରଣରୁ ଅନେକ ଲୋକ ଔଷଧ କିଣିପାରୁ ନାହାନ୍ତି ଏବଂ ଦୈନନ୍ଦିନ ଜୀବନଯାପନରେ ଅସୁବିଧା ଭୋଗୁଛନ୍ତି।
ଏପରିକି ଭତ୍ତା ଅଭାବ ସହ ଜଡ଼ିତ କିଛି ଦୁଃଖଦ ଘଟଣା ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସେ ଉଲ୍ଲେଖ କରିଛନ୍ତି।ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ଯେ, ଲୋକମାନେ ଏଭଳି ସମସ୍ୟାରେ ଥିବାବେଳେ ସରକାର କାହିଁକି ନିରବ ରହିଛନ୍ତି। ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଭତ୍ତା ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଛନ୍ତି।ଭତ୍ତା ବଣ୍ଟନକୁ ନେଇ ଉଠିଥିବା ଏହି ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

