ନ୍ୟୁଜ ଡେକ୍ସ : ଆମେରିକା ଏବଂ ଇରାନ ମଧ୍ୟରେ ସ୍ୱାକ୍ଷରିତ ଐତିହାସିକ ବୁଝାମଣା ପରେ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହରମୁଜ ପ୍ରଣାଳୀ ପୁଣିଥରେ ଜାହାଜ ଚଳାଚଳ ପାଇଁ ଖୋଲିଯାଇଛି। ଏହି ପଦକ୍ଷେପ ପରେ ବିଶ୍ୱ ବଜାରରେ ତୈଳ ଯୋଗାଣ ସ୍ୱାଭାବିକ ହେବା ସହ ଦର ସ୍ଥିର ରହିବ ବୋଲି ଆଶା ପ୍ରକାଶ ପାଇଛି।ଚୁକ୍ତି ଅନୁଯାୟୀ ଆମେରିକା ଇରାନର ବନ୍ଦରଗୁଡ଼ିକ ଉପରେ ଲାଗୁ ଥିବା ସାମୁଦ୍ରିକ ଅବରୋଧ ହଟାଇ ନେଇଛି।
ସେହିପରି ଇରାନ ମଧ୍ୟ ହରମୁଜ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ଆସନ୍ତା ଷାଠିଏ ଦିନ ପର୍ଯ୍ୟନ୍ତ କୌଣସି ଶୁଳ୍କ ବିନା ଯାତାୟାତ କରିବାକୁ ଅନୁମତି ଦେଇଛି।ତେବେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିଥିଲେ ମଧ୍ୟ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନେଇ ଅନେକ ପ୍ରଶ୍ନ ଏବେ ବି ରହିଯାଇଛି। ବିଶେଷଜ୍ଞମାନଙ୍କ ମତରେ ପ୍ରଣାଳୀ ଅଞ୍ଚଳରେ ରହିଥିବା ସାମୁଦ୍ରିକ ବିସ୍ଫୋରକ ସାମଗ୍ରୀ ଏବେ ମଧ୍ୟ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ବିପଦ ସୃଷ୍ଟି କରୁଛି।ଏହା ସହ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ୍ର କ୍ଷମତାକୁ ନେଇ ଆଗାମୀ ଦିନରେ ହେବାକୁ ଥିବା ଆଲୋଚନା ମଧ୍ୟ ଗୁରୁତ୍ୱ ବହନ କରୁଛି।
ଏହି ପ୍ରସଙ୍ଗରେ ଉଭୟ ପକ୍ଷ କେଉଁ ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଉପରେ ଆନ୍ତର୍ଜାତିକ ମହଲର ନଜର ରହିଛି। ଅନ୍ୟପକ୍ଷରେ ପଶ୍ଚିମ ଏସିଆର ସୁରକ୍ଷା ପରିସ୍ଥିତିକୁ ନେଇ ମଧ୍ୟ ଚିନ୍ତା ଜାରି ରହିଛି। ଅଞ୍ଚଳରେ ସକ୍ରିୟ ବିଭିନ୍ନ ସଶସ୍ତ୍ର ଗୋଷ୍ଠୀଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ସ୍ପଷ୍ଟ ହୋଇନାହିଁ।ଆନ୍ତର୍ଜାତିକ ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ବର୍ତ୍ତମାନର ଏହି ଅସ୍ଥାୟୀ ବୁଝାମଣାକୁ ଏକ ସ୍ଥାୟୀ ଶାନ୍ତି ଚୁକ୍ତିରେ ପରିଣତ କରିବା ଉଭୟ ଦେଶ ପାଇଁ ଆଗାମୀ ଦିନରେ ସବୁଠାରୁ ବଡ଼ ଆହ୍ୱାନ ହେବ। ବିଶ୍ୱ ଅର୍ଥନୀତି ଏବଂ ଉର୍ଜା ବଜାର ଉପରେ ଏହାର ପ୍ରଭାବ ଥିବାରୁ ସମଗ୍ର ବିଶ୍ୱ ଏହି ପରିସ୍ଥିତି ଉପରେ ସତର୍କ ନଜର ରଖିଛି।

