Fri. Jun 19th, 2026

ନ୍ୟୁଜ ଡେକ୍ସ : ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଦୀର୍ଘଦିନ ଧରି ଚାଲିଆସୁଥିବା ତିକ୍ତତା କମିବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଆହୁରି ସୁଧାର ଆଣିବା ପାଇଁ କୂଟନୈତିକ ସ୍ତରରେ ନୂଆ ପ୍ରୟାସ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୀଘ୍ର ଭାରତ ଗସ୍ତରେ ଆସୁଛନ୍ତି।ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଙ୍କ ନିମନ୍ତ୍ରଣ କ୍ରମେ ସେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀରେ ଯୋଗଦେବେ।

ଏହି ଗସ୍ତ ସମୟରେ ଅଜିତ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି।ସୂଚନା ଅନୁଯାୟୀ, ଦୁଇ ଦେଶର ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନାରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା, ସେନା ପ୍ରତ୍ୟାହାର ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ଏବଂ ପରସ୍ପର ବିଶ୍ୱାସ ବୃଦ୍ଧି ଉପରେ ଆଲୋଚନା ହୋଇପାରେ।ଗତ କିଛି ମାସ ଧରି ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ତୁଳନାମୂଳକ ଭାବେ ଶାନ୍ତ ରହିଛି।

ଏହି ଶାନ୍ତିପୂର୍ଣ୍ଣ ପରିବେଶକୁ ସ୍ଥାୟୀ ରୂପ ଦେବା ସହ ମତଭେଦକୁ ବିବାଦରେ ପରିଣତ ନକରିବା ଦିଗରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୂଟନୈତିକ ମହଲରେ ଆଶା ପ୍ରକାଶ ପାଇଛି।ଚଳିତ ବର୍ଷ ଭାରତ ବ୍ରିକ୍ସ ଗୋଷ୍ଠୀର ଅଧ୍ୟକ୍ଷତା କରୁଥିବାରୁ ଜୁନ ୨୨ ଏବଂ ୨୩ ତାରିଖରେ ନୂଆଦିଲ୍ଲୀରେ ୧୬ତମ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଶ୍ୱ ସୁରକ୍ଷା ପରିସ୍ଥିତି, ଆତଙ୍କବାଦର ମୁକାବିଲା, ଆନ୍ତର୍ଜାତିକ ସହଯୋଗ ଏବଂ ଆଗାମୀ ବ୍ରିକ୍ସ ଶିଖର ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ।ଚୀନ ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତକୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଧାର ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *