ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରର ଦୁଇ ନମ୍ବର ମାର୍କେଟ ବିଲ୍ଡିଂରେ ମଙ୍ଗଳବାର ଭୋରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୫ରୁ ଅଧିକ ଲୁଗା ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ବ୍ୟବସାୟୀମାନଙ୍କର ବ୍ୟାପକ କ୍ଷତି ହୋଇଛି।ଆଜି ଭୋର ସମୟରେ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀର ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା।କପଡ଼ା ଦୋକାନରେ ବହୁ ପରିମାଣରେ ଦାହ୍ୟ ସାମଗ୍ରୀ ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ଦୀର୍ଘ ସମୟ ଧରି କଠିନ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଥିଲେ।ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଗ୍ନିଶମ ବିଭାଗ ଓ ସମ୍ପୃକ୍ତ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟିନଥିବା ସୂଚନା ମିଳିଛି। ତେବେ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ବ୍ୟବସାୟୀମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।

