Sat. Jul 4th, 2026

ନ୍ୟୁଜ ଡେକ୍ସ :ଓଡ଼ିଶାରେ ଏଣିକି ସାର୍ଟିଫିକେଟ୍ ଅଫ୍ ରେକଗ୍ନେସନ୍ (ସିଓଆର୍) ବିନା କୌଣସି ନୂତନ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇପାରିବ ନାହିଁ। ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନୂତନ ଶିକ୍ଷାବର୍ଷରୁ ସଂଶୋଧିତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ବିଶେଷକରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରର ଘରୋଇ ବିଦ୍ୟାଳୟ ଖୋଲିବାକୁ ଇଚ୍ଛୁକ ଶିକ୍ଷାନୁଷ୍ଠାନ ଓ ସଙ୍ଗଠନଗୁଡ଼ିକୁ ସମସ୍ତ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। କୌଣସି ସଂସ୍ଥା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ବିଦ୍ୟାଳୟକୁ ବନ୍ଦ କରାଯାଇପାରେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।ରାଜ୍ୟରେ ବର୍ତ୍ତମାନ ୭ ହଜାରରୁ ଅଧିକ ଘରୋଇ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ କେବଳ ୪,୫୧୩ଟି ବିଦ୍ୟାଳୟ ସିଓଆର୍ ପାଇ ରାଜ୍ୟ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଛି। ପ୍ରାୟ ୨,୫୦୦ ବିଦ୍ୟାଳୟ ସିଓଆର୍ ବିନା ପରିଚାଳିତ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ନୂତନ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆବେଦନକାରୀ ସଂସ୍ଥା ସୋସାଇଟିଜ୍ ରେଜିଷ୍ଟ୍ରେସନ୍ ଆକ୍ଟ, ୧୮୬୦ କିମ୍ବା ଇଣ୍ଡିଆନ୍ ଟ୍ରଷ୍ଟସ୍ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ଏହାସହ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳପଡ଼ିଆ, ରାମ୍ପ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହ ସୁରକ୍ଷିତ ଏବଂ ସ୍ୱଚ୍ଛ ପରିବେଶ ଥିବା ଆବଶ୍ୟକ।ସେହିପରି ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ଓ ତାଲିମପ୍ରାପ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତ କରିବା ମଧ୍ୟ ବାଧ୍ୟତାମୂଳକ ହେବ। ନୂତନ ନିୟମ କାର୍ଯ୍ୟକାରୀ ହେବା ପରେ ଘରୋଇ ବିଦ୍ୟାଳୟଗୁଡ଼ିକର ମାନ ଓ ନିୟନ୍ତ୍ରଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *