Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେବରୟ ପୁଣେରେ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଜିପିଇ)ର କୁଳପତି ଭାବରେ କାର୍ଯ୍ୟ କରିଥିଲେ। ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ୟ୍ୟନ୍ତ ସେ ନୀତି ଆୟୋଗର ମଧ୍ୟ ସଦସ୍ୟ ଥିଲେ । ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି | କଂଗ୍ରେସର ପୁରୁଖା ନେତା ଜୟରାମ ରମେଶ ମଧ୍ୟ ଡା. ଦେବରାୟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସେ ଜଣେ ମହାନୁଭବୀ ବିଦ୍ୱାନ ଓ ଅର୍ଥଶାସ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ସେ ଅର୍ଥଶାସ୍ତ୍ରର ଜଟିଳ ପାଠକୁ ମଧ୍ୟ ବହୁ ସହଜ ଭାଷାରେ ସଧାରଣ ଲୋକଙ୍କୁ ବୁଝାଇ ପାରୁଥିଲେ ବୋଲି କହିଛନ୍ତି ଜୟରାମ ରମେଶ । ତେବେ ବିବେକ ଦେବରାୟଙ୍କର ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବଡ ଅବଦାନ ରହିଛି । ଖାସ୍ କରି ଆର୍ଥିକ ନୀତିକୁ ଆକାର ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥାଏ।

Leave a Reply

Your email address will not be published. Required fields are marked *