Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ -୨୦୨୪’ର ଉଦଘାଟନୀ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ପରିଚୟକୁ ବିଶ୍ୱବିଦିତ କରାଇବା ପାଇଁ ଆହ୍ୱାନ କରିଛନ୍ତି । ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତି ତଥା ତାଙ୍କ କରକମଳରେ ଉଦଘାଟିତ ଏହି ସମାରୋହରେ ସେ କହିଛନ୍ତି ଯେ ନୂଆଦିଲ୍ଲୀ ସମେତ ସମଗ୍ର ଭାରତବର୍ଷ ଏବଂ ଦେଶ ବାହାରେ ଓଡ଼ିଶାର ପର୍ବପର୍ବାଣୀ ଏକ ବ୍ୟାପକ ରୂପ ନେଉଛି ।

ଓଡ଼ିଶାର କୋଣ ଅନୁକୋଣରୁ ହସ୍ତଶିଳ୍ପ, ହସ୍ତତନ୍ତ, ନୃତ୍ୟ ଓ ସଙ୍ଗୀତ କଳାକାର ଏଥିରେ ଭାଗନେଇଛନ୍ତି । ସମାରୋହର ମୁଖ୍ୟ ଆକର୍ଷଣ ରହିଛି ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଯେଉଁଥିରେ ରାଜ୍ୟର ଲେଖକ, ବିଶେଷଜ୍ଞ, କଳାକାର ଓ ଇତିହାସକାରମାନେ ଯୋଗଦେଇଛନ୍ତି । ନ୍ୟାସନାଲ ବୁକ ଟ୍ରଷ୍ଟ (ଏନ୍‌ବିଟି) ସହଯୋଗରେ ଓଡ଼ିଆ ଲେଖକ ଓ ପ୍ରକାଶକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁସ୍ତକ ପ୍ରଦର୍ଶନ କରିଛନ୍ତି । ସମାରୋହରେ ୪୫ଟି ଓଡ଼ିଆ ଖାଦ୍ୟ ଷ୍ଟଲ୍‌,୨୫ ହସ୍ତତନ୍ତ ଓ କଳାଉତ୍ପାଦ ଷ୍ଟଲ ରହିଛି । ଉଦଘାଟନୀ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ କହିଛନ୍ତି ଭାରତର ଜାତୀୟ ରାଜଧାନୀରେ ଓଡ଼ିଶାର ଅସ୍ମିତା, ଗାଥା, ସୌନ୍ଦର୍ଯ୍ୟ, ମହକ, କୃତିତ୍ବ, ପ୍ରାଚୁର୍ଯ୍ୟ, କଳା, ସଂସ୍କୃତି ପରମ୍ପରାକୁ ପ୍ରଦର୍ଶନ କରାଯିବା ଗୌରବର କଥା। ଏହା ଦ୍ବାରା ଓଡ଼ିଶାର ଗୌରବମୟ ପରମ୍ପରା ଦେଶବିଦେଶରେ ଉପସ୍ଥାପିତ ହୋଇଛି। ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା।

ଓଡ଼ିଶାର ଲୋକମାନେ ପୃଥିବୀ ତଥା ଭାରତର ଯେଉଁ ସ୍ଥାନରେ ରହନ୍ତି, ସେମାନେ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ସ୍ଥାନୀୟ ଜନଜବୀନ ସହିତ ନିଜକୁ ମିଶାଇ ଦେଇଥାନ୍ତି। ଓଡ଼ିଶା ପର୍ବ- ୨୦୨୪ରେ ଯୋଗଦେଇ ସମବେତ ଦର୍ଶକ ଓ ବ୍ୟକ୍ତିବିଶେଷମାନଙ୍କୁ ପ୍ରେରିତ କରିଥିବାରୁ ମାନ୍ୟବର ରାଷ୍ଟ୍ରପତି ଏବଂ ଓଡ଼ିଶା ପର୍ବ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ସଙ୍ଗୀତ, ନୃତ୍ୟ, ସାହିତ୍ୟ, ଓଡ଼ିଆ ଖାଦ୍ୟପେୟ ତଥା ଆମର ଗୌରବମୟ ଇତିହାସକୁ ବିଶ୍ୱ ଦରବାରରେ ଉପସ୍ଥାପନ କରୁଥିବାରୁ ଓଡ଼ିଆ ସମାଜକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ଉଦଘାଟନୀ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ଅନେକ ରାଜନେତା, ଲେଖକ, କଳାକାର, ଇତିହାସକାର, ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *