Sat. Feb 21st, 2026

ନ୍ୟୁଜ ଡେକ୍ସ : ବିଶ୍ୱଜୁଡ଼ା ସୁନା ଦର ଯେଉଁଭଳି ବଢ଼ିଚାଲିଛି, ଲୋକମାନେ ସୁନା ଅଳଙ୍କାର କିଣିବା ପୂର୍ବରୁ ଦଶଥର ଭାବୁଛନ୍ତି। ଏହି ସମୟରେ ଏକ ଅବିଶ୍ୱସନୀୟ ସୁନା ଶୌଚାଳୟ ନିଲାମ ପାଇଁ ପ୍ରସ୍ତୁତ ହେଉଛି, ଯାହାର ମୂଲ୍ୟ ଶୁଣି ଯେକେହି ଆଶ୍ଚର୍ଯ୍ୟ ହୋଇଯିବ।ନ୍ୟୁୟର୍କରେ ନଭେମ୍ବର ୧୮ରେ ‘ସୋଥେବି’ ନିଲାମ ଗୃହରେ ଏହି ଶୌଚାଳୟଟି ନିଲାମ ହେବ।

ଏହାକୁ ଇଟାଲୀୟ କଳାକାର ମୌରିଜିଓ କାଟେଲାନ ନିର୍ମାଣ କରିଥିଲେ, ଯିଏ ତାଙ୍କ ଅନନ୍ୟ ଏବଂ ବିଚିତ୍ର କଳାକୃତି ପାଇଁ ପ୍ରସିଦ୍ଧ। ସେହି କଳାକାର ହେଉଛନ୍ତି ଯିଏ ‘କମେଡିଆନ୍’ ନାମରେ ଏକ କଦଳୀକୁ ଟେପ୍ କରି ଦିଵାଳରେ ଟାଙ୍ଗି ଦେଇ ୬୨ ନିୟୁତ ଡଲାରରେ ବିକ୍ରି କରିଥିଲେ।‘ଆମେରିକା’ ନାମକ ଏହି ସୁନା ଶୌଚାଳୟ ସମ୍ପୂର୍ଣ୍ଣ ଶୁଦ୍ଧ ୧୮ କ୍ୟାରେଟ୍ ସୁନାରେ ତିଆରି। ଏହା ପ୍ରସ୍ତୁତି ପାଇଁ ୧୦୧.୨ କିଲୋଗ୍ରାମ (୨୨୩ ପାଉଣ୍ଡ) ସୁନା ବ୍ୟବହୃତ ହୋଇଛି। ବର୍ତ୍ତମାନ ଏହାର ମୂଲ୍ୟ ପ୍ରାୟ ୧୦ ନିୟୁତ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ୮୩ କୋଟି ଟଙ୍କା।

କାଟେଲାନ ଏହା ବିଷୟରେ କହିଥିଲେ — “ତୁମେ ଯେଉଁ ଖାଦ୍ୟ ଖାଅ, ୨୦୦ ଡଲାରର ଲଞ୍ଚ ହୋଉ କି ୨ ଡଲାରର ହଟ୍ ଡଗ୍, ଶୌଚାଳୟ ପାଇଁ ଫଳାଫଳ ସମାନ।”୨୦୧୬ ମସିହାରେ କାଟେଲାନ ‘ଆମେରିକା’ ଶୀର୍ଷକ ଦୁଇଟି ଶୌଚାଳୟ ତିଆରି କରିଥିଲେ। ଏଥିରୁ ଗୋଟିଏ ୨୦୧୭ ରୁ ଜଣେ ଅଜ୍ଞାତ ସଂଗ୍ରାହକଙ୍କ ମାଲିକାନାରେ ଅଛି, ଯେବେକି ଅନ୍ୟଟି ନ୍ୟୁୟର୍କର ଗୁଗେନହେଇମ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଥିଲା। ସେଥିଠାରେ ଏହି ସୁନା ଶୌଚାଳୟ ଦେଖିବାକୁ ଲକ୍ଷେରୁ ଅଧିକ ଦର୍ଶକ ଲାଇନରେ ଠିଆ ହୋଇଥିଲେ।

ପରେ, ୨୦୧୯ ମସିହାରେ ଏହାକୁ ଇଂଲଣ୍ଡର ବିଶିଷ୍ଟ ବ୍ଲେନହେମ୍ ପ୍ୟାଲେସରେ ପ୍ରଦର୍ଶିତ କରାଯାଇଥିଲା — ଯାହା ୱିନସ୍ଟନ୍ ଚର୍ଚ୍ଚିଲଙ୍କ ଜନ୍ମସ୍ଥାନ। କିନ୍ତୁ କେବଳ କିଛି ଦିନ ମଧ୍ୟରେ ଚୋରମାନେ ଏହାକୁ ଚୋରି କରିନେଇଥିଲେ। ପାଇପ୍ ଭାଙ୍ଗି ସେମାନେ ପଳାଇ ଯାଇଥିଲେ ଏବଂ ଏହି ଶୌଚାଳୟଟି ଆଜିପର୍ଯ୍ୟନ୍ତ ଉଦ୍ଧାର ହୋଇନି। ତଦନ୍ତକାରୀମାନଙ୍କ ଆଶଙ୍କା, ଏହାକୁ ସୁନା ଗଳିଯାଇ ବିକ୍ରି କରାଯାଇଥାଇପାରେ।

Leave a Reply

Your email address will not be published. Required fields are marked *