ନ୍ୟୁଜ ଡେକ୍ସ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ପାଖରେ ଥିବା B-2 ସ୍ପିରିଟ୍ ଷ୍ଟିଲ୍ଥ୍ ବମ୍ବରକୁ ଆଧୁନିକ ଯୁଦ୍ଧକ୍ଷେତ୍ରରେ ସବୁଠାରୁ ଘାତକ ଅସ୍ତ୍ରମାନଙ୍କ ମଧ୍ୟରେ ଗଣାଯାଏ। ଏହି ବିମାନ ଶତ୍ରୁ ରାଡାରକୁ ଚକମା ଦେଇ ଗୁପ୍ତ ଭାବରେ ଆକ୍ରମଣ କରିବାରେ ସକ୍ଷମ।B-2 ବମ୍ବରର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ଷ୍ଟିଲ୍ଥ୍ ପ୍ରଯୁକ୍ତି, ଯାହା ଦ୍ୱାରା ଏହା ଶତ୍ରୁର ରାଡାରରେ ଧରା ପଡ଼େନାହିଁ।
ଏହି ବିମାନ ସାଧାରଣତଃ ୪୦,୦୦୦ ପାଉଣ୍ଡ ଓଜନର ଅସ୍ତ୍ର ବହନ କରିପାରେ, ଯେଉଁଥିରେ ଆବଶ୍ୟକ ପଡ଼ିଲେ ଏହା ୬୦,୦୦୦ ପାଉଣ୍ଡ ପର୍ଯ୍ୟନ୍ତ ଭାର ବହନ କରିପାରେ।ଏହି ବିମାନ ଏକା ସମୟରେ ୮୦ଟି JDAM ବୋମା ନେଇପାରେ ଏବଂ କେବଳ କିଛି ସେକେଣ୍ଡ ମଧ୍ୟରେ ସେଗୁଡ଼ିକୁ ଲକ୍ଷ୍ୟସ୍ଥଳରେ ପତନ କରାଇପାରେ। ଏହାର ‘ବଙ୍କର ବଷ୍ଟର’ କ୍ଷମତାକୁ ଅଧିକ ଭୟଙ୍କର କରିଥାଏ। GBU-57 ଭଳି ପ୍ରାୟ ୩୦,୦୦୦ ପାଉଣ୍ଡ ଓଜନର ବୋମା ଏହା ବହନ କରିପାରେ, ଯାହା ମାଟି ତଳେ ଗଭୀରରେ ଥିବା ସୁରକ୍ଷିତ ବଙ୍କରକୁ ମଧ୍ୟ ଧ୍ୱଂସ କରିଦେଇପାରେ।
ଏହି ବିମାନକୁ ଦୀର୍ଘ ମିଶନ୍ ସମୟରେ ଆକାଶରେ ହିଁ ଇନ୍ଧନ ଭରିବାକୁ ପଡ଼େ। ନିକଟକାଳରେ B-2 ବମ୍ବରରେ କିଛି ନୂତନ ଟେକ୍ନୋଲୋଜି ଅପଡେଟ୍ କରାଯାଇଛି, ବିଶେଷ କରି ଏହାର ଷ୍ଟିଲ୍ଥ୍ କୋଟିଂକୁ ଆହୁରି ଉନ୍ନତ କରାଯାଉଛି, ଯାହା ଦ୍ୱାରା ଏହା ଶତ୍ରୁ ପାଇଁ ପ୍ରାୟ ଅଦୃଶ୍ୟ ରହିପାରିବ।ଯଦିଓ ଆଗାମୀଦିନରେ B-21 ରେଡର୍ ଭଳି ନୂତନ ପିଢିର ବିମାନ ଆସୁଛି, ତଥାପି ଆମେରିକାର ପ୍ରତିରକ୍ଷା ବ୍ୟବସ୍ଥାରେ B-2 ସ୍ପିରିଟ୍ ଆଜିବି ଏକ ଅପରିହାର୍ଯ୍ୟ ଓ ଶକ୍ତିଶାଳୀ ଅସ୍ତ୍ର ଭାବେ ରହିଛି।

