Sun. Apr 19th, 2026

ନ୍ୟୁଜ ଡେକ୍ସ : ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବୁଧବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସରକାରଙ୍କ ପକ୍ଷରୁ ସମ୍ପ୍ରତିକ ପରିସ୍ଥିତି ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ।

ବୈଠକରେ ହୋର୍ମୁଜ୍ ପ୍ରଣାଳୀ, ଇରାନ ସମ୍ପର୍କିତ ଯୁଦ୍ଧ ପରିସ୍ଥିତି ଓ ଭାରତର ଶକ୍ତି ସୁରକ୍ଷା ନେଇ ଆଲୋଚନା ହୋଇଥିଲା। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସ୍ପଷ୍ଟ କରିଥିଲେ ଯେ ଭାରତ କେବେବି ପାକିସ୍ତାନ ପରି ମଧ୍ୟସ୍ଥ ବା ଦଲାଲ ଦେଶ ଭାବେ କାମ କରିବ ନାହିଁ। ସେ କହିଥିଲେ ଯେ ୧୯୮୧ ମସିହାରୁ ଆମେରିକା ପାକିସ୍ତାନକୁ ଏହି ପ୍ରକାର କାର୍ଯ୍ୟରେ ବ୍ୟବହାର କରୁଛି।ପାକିସ୍ତାନ ପକ୍ଷରୁ ଇରାନ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା ପ୍ରସ୍ତାବ ଆସିଥିବା ବେଳେ, ଭାରତ ଏପରି ଭୂମିକା ଗ୍ରହଣ କରିବ ନାହିଁ ବୋଲି ସରକାର ପକ୍ଷରୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି। ବୈଠକରେ ବିରୋଧୀ ସାଂସଦ ଧର୍ମେନ୍ଦ୍ର ଯାଦବ ଓ ମୁକୁଲ ୱାସନିକ ଏହି ବିଷୟରେ ପ୍ରଶ୍ନ ଉଠାଇଥିଲେ।

ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜେ.ପି. ନଡ୍ଡା, ଲଲ୍ଲନ ସିଂହ, ସଞ୍ଜୟ ଝା, ତାରିକ ଅନୱର, ମୁକୁଲ ୱାସନିକ, ଜନ୍ ବ୍ରିଟାସ୍ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପସ୍ଥିତ ଥିଲେ। ତେବେ ଟିଏମସି ଏହି ବୈଠକକୁ ବର୍ଜନ କରିଥିଲା।ବିରୋଧୀ ପକ୍ଷରୁ ଆମେରିକା ଓ ଇସ୍ରାଏଲଙ୍କ ଇରାନ ଉପରେ ଆକ୍ରମଣ ନେଇ ପ୍ରଶ୍ନ ଉଠାଯାଇଥିଲା। ଏହାର ଉତ୍ତରରେ ବୈଦେଶିକ ସଚିବ କହିଥିଲେ ଯେ ଇରାନ ପରମାଣୁ କାର୍ଯ୍ୟକ୍ରମ ନେଇ ଆଗକୁ ବଢ଼ୁଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।ଏହି ସମୟରେ ଶକ୍ତି ସୁରକ୍ଷା ନେଇ ମଧ୍ୟ ସରକାର ଆଶ୍ୱାସନା ଦେଇଛି।

ହୋର୍ମୁଜ୍ ପ୍ରଣାଳୀ ମାର୍ଗରେ ଆସୁଥିବା ଏଲପିଜି ଓ ତେଲ ଆପୂର୍ତ୍ତି ସାଧାରଣ ଅବସ୍ଥାରେ ରହିଛି। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଚାରିଟି ଜାହାଜ ଭାରତୀୟ ବନ୍ଦରକୁ ପହଞ୍ଚିବ ବୋଲି ସରକାର କହିଛି।ସରକାର କହିଛି ଯେ ଏଲପିଜି ଓ ପେଟ୍ରୋଲିୟମ୍ ପାଇଁ ଆଗୁଆ ବୁକିଂ କରାଯାଇଛି ଓ ବିଭିନ୍ନ ଦେଶ ସହିତ ଆଲୋଚନା ବୃଦ୍ଧି କରାଯାଇଛି। ପର୍ଯ୍ୟାପ୍ତ ଶକ୍ତି ମଜୁତ ଥିବାରୁ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସରକାର ସ୍ପଷ୍ଟ କରିଛି। ଏହା ସହିତ ସୂଚନା ମିଳିଛି ଯେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରାୟ ୪ ଲକ୍ଷ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମଗ୍ର ପରିସ୍ଥିତି ଉପରେ ସରକାର ସତର୍କ ନଜର ରଖିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *