ନ୍ୟୁଜ ଡେକ୍ସ : ପ୍ରସିଦ୍ଧ ଫିଲ୍ମମେକର ରାଜକୁମାର ହୀରାନୀ ଏବେ କୃତ୍ରିମ ବୁଦ୍ଧିମତା (AI) ପ୍ରତି ଭାରି ଆକର୍ଷିତ ହୋଇଛନ୍ତି। ସେ କହିଛନ୍ତି ଯେ ଏଆଇ ସିନେମା ପାଇଁ ବିପଦ ନୁହେଁ, ବରଂ ଏହାକୁ ସହଯୋଗୀ ଭାବେ ଗ୍ରହଣ କରିବା ଦରକାର। ଏହି ଭାବନାରେ ସେ ଏବେ ଏଆଇ ବ୍ୟବହାର କରି ୪ରୁ ୫ ମିନିଟ ର ଏକ ଶର୍ଟ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।
ଏହି ପ୍ରକଳ୍ପ ପାଇଁ ସେ ଏକ ଭଲ କାହାଣୀ ମଧ୍ୟ ଚୟନ କରିସାରିଥିବା ସୂଚନା ଦେଇଛନ୍ତି ଏବଂ ଶୀଘ୍ର ଏହା ଉପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି।ହୀରାନୀ ମଜାକିଆ ଭାବରେ କହିଛନ୍ତି ଯେ ଏଆଇ ସହିତ ବନ୍ଧୁତା କରିବା ଆଜିର ସମୟର ଆବଶ୍ୟକତା, ଏହା ବିନା ଆଗକୁ ବଢ଼ିବା ସମ୍ଭବ ନୁହେଁ। ଏତେ ଛୋଟ ସମୟର ଫିଲ୍ମ ହେଲେ ମଧ୍ୟ ଏହା ପାଇଁ ଅଧିକ ପରିଶ୍ରମ ଲାଗିବ ବୋଲି ସେ ହସିକରି କହିଛନ୍ତି।
୨୦୨୩ରେ ହୀରାନୀଙ୍କ ଶେଷ ଫିଲ୍ମ ଡଙ୍କି ମୁକ୍ତିପ୍ରାପ୍ତ ହୋଇଥିଲା, ଯେଉଁଥିରେ ଶାହାରୁଖ ଖାଁ ଓ ତାପସୀ ପନ୍ନୁ ଅଭିନୟ କରିଥିଲେ। ଏହା ପରେ ସେ ଅମୀର ଖାଁଙ୍କ ସହ ଭାରତୀୟ ସିନେମାର ପିତା ଦାଦାସାହେବ ଫାଲକେଙ୍କ ଜୀବନୀ ଉପରେ ଫିଲ୍ମ କରିବା ଘୋଷଣା କରିଥିଲେ, କିନ୍ତୁ ଏହି ପ୍ରକଳ୍ପ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନୂଆ ସୂଚନା ମିଳିନାହିଁ।ଉଲ୍ଲେଖନୀୟ ଯେ ଥ୍ରୀ ଇଡିଏଟ୍ସ ଓ ପିକେ ପରେ ଏହା ହୀରାନୀ ଓ ଅମୀରଙ୍କ ତୃତୀୟ ସହଯୋଗ ହେବ।

