Sat. Jun 13th, 2026

ନ୍ୟୁଜ ଡେକ୍ସ : ଜିଲ୍ଲାରେ ମାଓ ଦମନ ଅଭିଯାନକୁ ମିଳିଛି ବଡ଼ ସଫଳତା। ସର୍ଚ୍ଚ ଅପରେସନ ବେଳେ କନ୍ଧମାଳ ଜିଲ୍ଲା ପୋଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ଗଙ୍ଗପଦର, ପୋଡ଼ମାହା, ପାଜିମାହାନ ଓ ଟେଙ୍ଗେରି ଅଞ୍ଚଳରେ ଜୋରଦାର ତଲାସି ଅଭିଯାନ ଚାଲିଥିବା ବେଳେ ଏହି ସଫଳତା ମିଳିଛି।ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଏସ୍‌ଏଲ୍‌ଆର ରାଇଫଲ, ଦେଶୀ ବନ୍ଧୁକ, ୩୦ଟି ବିସ୍ଫୋରକ ନିୟନ୍ତ୍ରକ, ମାଓ ପୋଷାକ ଓ ବିଭିନ୍ନ ଔଷଧ ସାମଗ୍ରୀ ରହିଛି। ଏନେଇ କନ୍ଧମାଳ ଏସ୍‌ପି ସୂଚନା ଦେଇଛନ୍ତି।

ଫୁଲବାଣୀ ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆରେ ଆୟୋଜିତ ଏକ ସମ୍ମିଳନୀରେ ଜବତ ହୋଇଥିବା ମାଓ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି। ଏବେ ମଧ୍ୟ ଜଙ୍ଗଲ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଥିବା ଜଣାପଡ଼ିଛି। ସୁରକ୍ଷା ବାହିନୀ ପକ୍ଷରୁ ଲଗାତାର ଭାବେ କନ୍ଧମାଳର ବିଭିନ୍ନ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନ ଚାଲିଛି। କିଛି ମାସ ପୂର୍ବରୁ ମଧ୍ୟ କମ୍ବିଂ ଅପରେସନ ସମୟରେ ଏକ ବଡ଼ ମାଓ କ୍ୟାମ୍ପ ଠାବ ହୋଇଥିଲା।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନ ବାଟାଗୁଡ଼ା ପଞ୍ଚାୟତର ଗଙ୍ଗେରୀ ଜଙ୍ଗଲରେ ସୁରକ୍ଷା ବାହିନୀ ମିଳିତ ଅଭିଯାନ କରି ଏକ ମାଓ କ୍ୟାମ୍ପ ଠାବ କରିଥିଲେ। ସେଠାରୁ ୧୩ଟି ବନ୍ଧୁକ, ବହୁ ୱାକି ଟକି ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଥିଲା।ସ୍ୱତନ୍ତ୍ର ଅପରେସନ ଗ୍ରୁପ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଓ ସୀମା ସୁରକ୍ଷା ବଳର ମିଳିତ ଉଦ୍ୟମରେ ଏହି ଅଭିଯାନ ଚାଲିଥିଲା। ଜିଲ୍ଲାରେ ମାଓ ଗତିବିଧି ଉପରେ ନଜର ରଖି ସୁରକ୍ଷା ବାହିନୀ ପକ୍ଷରୁ ଆଗକୁ ମଧ୍ୟ ଅଭିଯାନ ଜାରି ରହିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *