ନ୍ୟୁଜ ଡେକ୍ସ : ଆସନ୍ତା ୨୧ ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃପରୀକ୍ଷାକୁ ନଜରରେ ରଖି ଓଡ଼ିଶା ସରକାର ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ସହାୟତାମୂଳକ ଘୋଷଣା କରିଛନ୍ତି। ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍ରେ ମାଗଣାରେ ଯାତ୍ରା କରିପାରିବେ।ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ଏକ ନିର୍ଦ୍ଦେଶ ଜାରି କରାଯାଇଛି।
ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପରୀକ୍ଷାର୍ଥୀମାନେ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି ଏବଂ ଆର୍ଥିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀମାନେ ସହଜରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରନ୍ତି, ସେଥିପାଇଁ ଏହି ସୁବିଧା ଯୋଗାଇ ଦିଆଯାଇଛି।ଚଳିତ ନିଟ୍ ୟୁଜି ପୁନଃପରୀକ୍ଷା ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ହେବାକୁ ଥିବା ବେଳେ ପ୍ରାୟ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ଏଥିରେ ଅଂଶ ନେବେ। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ସୁବିଧାଜନକ କରିବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ବିଭାଗୀୟ ନିର୍ଦ୍ଦେଶ ଅନୁସାରେ, ପରୀକ୍ଷାର୍ଥୀମାନେ ନିଜର ବୈଧ ନିଟ୍ ପ୍ରବେଶ ପତ୍ର ଦେଖାଇ ସରକାରୀ ବସ୍ରେ ବିନା ଭଡ଼ାରେ ଯାତ୍ରା କରିପାରିବେ। ଏହି ସୁବିଧା ପରୀକ୍ଷାର୍ଥୀଙ୍କ ନିଜ ଜିଲ୍ଲା ମଧ୍ୟରେ ଓ ଆବଶ୍ୟକତା ଅନୁସାରେ ଅନ୍ୟ ସ୍ଥାନକୁ ଯାତ୍ରା ପାଇଁ ଲାଗୁ ହେବ।
ବ୍ୟବସ୍ଥାକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ, ରାଜ୍ୟ ପରିବହନ ପ୍ରାଧିକରଣ, ଜିଲ୍ଲା ପ୍ରଶାସନ, କ୍ରୁଟ୍ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।ଏହି ବ୍ୟବସ୍ଥାର ଦୈନିକ ଅଗ୍ରଗତି ସମ୍ପର୍କରେ ସରକାରଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ବିଭାଗ ଏହି ନିର୍ଦ୍ଦେଶକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ସଂସ୍ଥାମାନଙ୍କୁ କହିଛି।ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ଯାତାୟାତ ଚିନ୍ତା ଦୂର କରିବା ସହ ସେମାନଙ୍କୁ ସୁବିଧାଜନକ ପରିବେଶ ଦେବା ଦିଗରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଉଛି।

