ନ୍ୟୁଜ ଡେକ୍ସ : ଓଡ଼ିଶା ପୋଲିସ ବିଭାଗର ବରିଷ୍ଠ ଆଇପିଏସ ଅଧିକାରୀ ସ୍ୱାତୀ ଏସ୍. କୁମାରଙ୍କୁ ନେଇ ଆସିଛି ବଡ଼ ଖବର। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଯାଉଛନ୍ତି। ବର୍ତ୍ତମାନ ସେ ସ୍ୱତନ୍ତ୍ର ତଦନ୍ତ ଦଳରେ ଏସ୍ପି ଭାବେ କାର୍ଯ୍ୟରତ ଥିବା ବେଳେ ଆଗକୁ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋରେ ଯୁଗ୍ମ ଉପ ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
ସ୍ୱାତୀ ଏସ୍. କୁମାରଙ୍କ କେନ୍ଦ୍ରୀୟ ଡେପୁଟେସନ ନେଇ ଅନୁମତି ପ୍ରଦାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ। ଏହା ପରେ ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ ନେଇ ପ୍ରକ୍ରିୟା ଆଗକୁ ବଢ଼ିବ।୨୦୧୭ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ସ୍ୱାତୀ ଏସ୍. କୁମାର ପୋଲିସ ବିଭାଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଜର ଦାୟିତ୍ୱ ତୁଲାଇଛନ୍ତି। ଅପରାଧ ନିୟନ୍ତ୍ରଣ, ତଦନ୍ତ ଓ ସୁରକ୍ଷା ସମ୍ପର୍କିତ କାର୍ଯ୍ୟରେ ତାଙ୍କର ଅଭିଜ୍ଞତା ରହିଛି।ଚଳିତ ବର୍ଷ ମେ ୨୪ ତାରିଖରେ ଗୃହ ବିଭାଗ ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ତଦନ୍ତ ଦଳର ଏସ୍ପି ଭାବେ ନିଯୁକ୍ତି ମିଳିଥିଲା।
ଏହା ପୂର୍ବରୁ ମଧ୍ୟ ସେ ଅନେକ ଦାୟିତ୍ୱ ସଫଳତାର ସହ ପାଳନ କରି ଆସିଛନ୍ତି।କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ତାଙ୍କ ନିଯୁକ୍ତି ଓଡ଼ିଶା ପୋଲିସ ପାଇଁ ମଧ୍ୟ ଗୌରବର ବିଷୟ ବୋଲି କୁହାଯାଉଛି। ନୂଆ ଦାୟିତ୍ୱରେ ସେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କିତ କାର୍ଯ୍ୟରେ ନିଜର ଅଭିଜ୍ଞତା ଓ ଦକ୍ଷତାର ଉପଯୋଗ କରିବେ।

