ନ୍ୟୁଜ ଡେକ୍ସ : ନୟାଗଡ଼ ଜିଲ୍ଲାର ଖୋର୍ଦ୍ଧା ବନଖଣ୍ଡରେ ପୁଣି ଏକ ଦୁଃଖଦ ଘଟଣା ଘଟିଛି। ରଣପୁର ବନାଞ୍ଚଳର ରାଜ ଜଙ୍କିଆ ନିକଟ ପାତାଳଶ୍ୱର ଜଙ୍ଗଲ ଭିତରେ ଥିବା ଏକ କୂଅରେ ପଡି ଜଣେ ହାତୀ ଛୁଆର ମୃତ୍ୟୁ ଘଟିଥିବା ଖବର ମିଳିଛି।ସକାଳେ ସ୍ଥାନୀୟ ଲୋକମାନେ ବିକଟ ଦୁର୍ଗନ୍ଧ ଅନୁଭବ କରି କୂଅ ଭିତରକୁ ଝାଂକି ଦେଖିବା ପରେ ହାତୀ ଛୁଆଟି ମରିଥିବା ପଡ଼ିଥିବା ଚିହ୍ନଟ କରିଥିଲେ।
ସେମାନେ ତତ୍କ୍ଷଣାତ୍ ବନ ବିଭାଗକୁ ସୂଚନା ଦେଲେ। ପରେ ବନ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆର ମୃତଦେହକୁ ବାହାର କରିବାର କାର୍ଯ୍ୟ କରିଥିଲେ।ଘଟଣାରେ ଅଦ୍ଭୁତ ପରିସ୍ଥିତି ହେଲା ମୃତ ହାତୀ ଛୁଆର ଦେହରେ କ୍ୟାମେରା ଲଗା ଥିବା ଚିହ୍ନଟ ହୋଇଛି।
ହାତୀର ଗତିବିଧି ନିରୀକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ କ୍ୟାମେରା ଲଗାଯାଇଥିବା ସତ୍ତ୍ୱେ, ହାତୀ କେବେ ଓ କିପରି କୂଅ ଭିତରକୁ ପଡିଲା ଏହାର ଖବର ବନ ବିଭାଗ ପୂର୍ବରୁ କାହିଁକି ଜାଣିପାରିଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ହାତୀ ଛୁଆଟିର ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ବନ ଅଧିକାରୀମାନେ କହିଛନ୍ତି ଯେ,“ମୃତଦେହର ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟତା ମିଳିବ।”

