ନ୍ୟୁଜ ଡେକ୍ସ : ଗ୍ରୀଷ୍ମ ଋତୁ ଆସିଲେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଅତ୍ୟାବଶ୍ୟକ ହୋଇଯାଏ । ଖରାଦିନେ ଅସାବଧାନତା ଓ ଭୁଲ ଖାଦ୍ୟାଭ୍ୟାସ ଦେହରେ ବିଭିନ୍ନ ସମସ୍ୟା ଉଦ୍ଭବ କରିପାରେ । ବିଶେଷକରି ଗରମରୁ ରକ୍ଷା ପାଇବା ନାମରେ ଲୋକେ ଯେକୌଣସି ଖାଦ୍ୟ ଖାଇଥାନ୍ତି, ଯାହା ପରେ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ ।ଅତ୍ୟଧିକ ଗରମ ସମୟରେ ଥଣ୍ଡା ବା ବାହାରେ ରହିଥିବା ଫଳ ଓ ପନିପରିବା ଖାଇବା ମଧ୍ୟ ରୋଗକୁ ଆମନ୍ତ୍ରଣ ଦେଇପାରେ ।
ଏହି ସମୟରେ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ଓ ସଠିକ୍ ଚୟନ କରିବା ଦରକାର । ଖାସକରି ଫାଷ୍ଟଫୁଡ୍ ଓ ଷ୍ଟ୍ରିଟ୍ ଫୁଡ୍ ଖାଇବା ଦ୍ୱାରା ଫୁଡ୍ ପଏଜନିଙ୍ଗ୍ ହେବାର ସମ୍ଭାବନା ବେଶି ଥାଏ ।ଏହି ଦିନଗୁଡିକରେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ଏପରି ଖାଦ୍ୟ ଶରୀରର ତାପମାତ୍ରା ବଢ଼ାଇ ଦେଇଥାଏ ଓ ପାଚନକ୍ରିୟାକୁ ପ୍ରଭାବିତ କରେ । ସେହିପରି ଆମିଷ ଖାଦ୍ୟ ମଧ୍ୟ ଗରମ ଦିନରେ ସୀମିତ ମାତ୍ରାରେ ନେବା ଉଚିତ୍, କାରଣ ଏହା ପେଟକୁ ଭାରି କରି ଡାଇରିଆ ଭଳି ସମସ୍ୟା ଉଦ୍ଭବ କରିପାରେ । ଜଙ୍କ୍ ଓ ଷ୍ଟ୍ରିଟ୍ ଫୁଡ୍ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ, ଝାଡା ଓ ବାନ୍ତି ହେବାର ସମ୍ଭାବନା ରହେ ।
ଏହା ସହିତ ଚା’ ଓ କଫି ଅଧିକ ପିଇବା ମଧ୍ୟ ଶରୀରରେ ଡିହାଇଡ୍ରେସନ ସୃଷ୍ଟି କରିପାରେ, ଯାହା ଗରମ ସମୟରେ ଅଧିକ ଅସୁବିଧା କରେ ।ସେହିପରି ସସ୍ ଓ ଚଟଣି ଭଳି ଖାଦ୍ୟରେ ଅଧିକ ଲୁଣ ଓ ମସଲା ଥାଏ, ଯାହା ଶରୀର ପାଇଁ କ୍ଷତିକାରକ । ଏହିପରି ଖାଦ୍ୟ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଓ ଅନ୍ୟାନ୍ୟ ସମସ୍ୟା ହୋଇପାରେ ।ତେଣୁ ଖରାଦିନେ ସୁସ୍ଥ ରହିବାକୁ ହେଲେ ହଳକା, ସହଜରେ ପଚିବା ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବା ସହ ସଚେତନ ରହିବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି ।

