ନ୍ୟୁଜ ଡେକ୍ସ : ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରରେ ୪୮ତମ ରଥଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଏଥର ରଥଯାତ୍ରାରେ ପ୍ରାୟ ଦେଢ଼ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ରାଜଧାନୀ ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ଏହି ମହୋତ୍ସବରେ ସାମିଲ ହେବେ।
ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସଂଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ସମସ୍ତ ଆୟୋଜନର ତଦାରଖ କରୁଥିବାବେଳେ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜାଯାଇ ନବୀକରଣ କରାଯାଉଛି।ଚଳିତ ମାସ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାରୁ ଉତ୍ସବ ଆରମ୍ଭ ହେବ। ଜୁଲାଇ ୧୪ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ୧୬ରେ ରଥଯାତ୍ରା, ୨୪ରେ ବାହୁଡ଼ା ଯାତ୍ରା, ୨୫ରେ ସୁନାବେଶ ଏବଂ ୨୭ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ୧୮ ଫୁଟ ଉଚ୍ଚ ଓ ୧୦ ଚକ ବିଶିଷ୍ଟ ରଥର ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି।
ରଥଯାତ୍ରାର ସୁଚାରୁ ପରିଚାଳନା ପାଇଁ ପ୍ରାୟ ୭୦୦ ଜଣ ସ୍ୱେଚ୍ଛାସେବକ ନିୟୋଜିତ ହେବେ। ଚଳିତ ବର୍ଷ ଦିଲ୍ଲୀର ଉପରାଜ୍ୟପାଳ ତରଣଜୀତ ସିଂହ ସାନ୍ଧୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛେରାପହଁରା ନୀତି ସମ୍ପନ୍ନ କରିବେ।ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ନଅ ଦିନ ଧରି ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏଥିରେ ବିଭିନ୍ନ ପ୍ରତିଷ୍ଠିତ ସଙ୍ଗୀତଶିଳ୍ପୀ, ଗାୟକ, ଗାୟିକା ଓ ନୃତ୍ୟଶିଳ୍ପୀ ନିଜ କଳା ପ୍ରଦର୍ଶନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସ୍ୱର୍ଣ୍ଣପ୍ରଭା ପତି କରିବେ।

