Fri. Apr 17th, 2026

ନ୍ୟୁଜ ଡେକ୍ସ : ସଂସଦରେ ଚର୍ଚ୍ଚା ଓ ବିତର୍କ ଚାଲିଥିବା ବେଳେ ମହିଳା ସଂରକ୍ଷଣ ଆଇନ ୨୦୨୩ ଗୁରୁବାର ରାତିଅଧିଆ ଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସମ୍ବିଧାନ (୧୦୬ତମ) ସଂଶୋଧନ ଆଇନ ୨୦୨୩ର ଧାରା ୧ (୨) ଅନୁଯାୟୀ ୨୦୨୬ ଏପ୍ରିଲ ୧୬ ତାରିଖରୁ ଏହି ଆଇନକୁ ଲାଗୁ କରାଯାଇଛି।

ଏହି ଆଇନ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବ। ୨୦୨୩ ସେପ୍ଟେମ୍ବରରେ ସଂସଦରେ ଗୃହୀତ ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ପରିଚିତ ଏହି ଆଇନକୁ ମହିଳାଙ୍କ ରାଜନୈତିକ ଭାଗିଦାରୀ ବୃଦ୍ଧି ପାଇଁ ଏକ ବଡ ପଦକ୍ଷେପ ଭାବେ ଦେଖାଯାଉଛି।ତେବେ ଆଇନ ଲାଗୁ ହେଲେ ମଧ୍ୟ ତତ୍କାଳ ଏହାର ଲାଭ ମିଳିବା ସମ୍ଭବ ନୁହେଁ। କାରଣ ଏହାକୁ ୨୦୨୭ ଜନଗଣନା ପରେ ହେବାକୁ ଥିବା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସହ ଯୋଡ଼ାଯାଇଛି।

ଏହି ପ୍ରକ୍ରିୟା ଶେଷ ହେବା ପରେ ମାତ୍ର ସଂରକ୍ଷଣ କାର୍ଯ୍ୟକାରୀ ହେବାକୁ ପାରିବ।ସରକାରୀ ସୂଚନା ଅନୁସାରେ, ବର୍ତ୍ତମାନ ଲୋକସଭାରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସମ୍ଭବ ନୁହେଁ। ପ୍ରଥମେ ନୂତନ ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ଆବଶ୍ୟକ। ପୂର୍ବରୁ ଏହି ସଂରକ୍ଷଣ ୨୦୩୪ ପୂର୍ବରୁ ଲାଗୁ ହେବା ଅସମ୍ଭବ ବୋଲି ଧାରଣା ଥିଲା, କିନ୍ତୁ ସରକାର ୨୦୨୯ରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଂଶୋଧନ ଆଣୁଛନ୍ତି।ଏପରି ପରିସ୍ଥିତିରେ ସଂସଦରେ ଚର୍ଚ୍ଚା ଚାଲିଥିବା ସମୟରେ ରାତିଅଧିଆ ଆଇନ ଲାଗୁ କରାଯାଇଥିବା କାରଣ ସ୍ପଷ୍ଟ ହୋଇନଥିବାରୁ ଏହାକୁ ନେଇ ରାଜନୈତିକ ମଞ୍ଚରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *