ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟ୍ରିଣମୂଳ କଂଗ୍ରେସ (ଟିଏମସି)କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଟିଏମସିର ରାଜ୍ୟସଭା ସାଂସଦ ମୌସମ ନୂର କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାକୁ ତାଙ୍କର ‘ଗୃହ ପ୍ରତ୍ୟାବର୍ତ୍ତନ’ ବୋଲି କୁହାଯାଉଛି, କାରଣ ସେ ପୂର୍ବରୁ କଂଗ୍ରେସରେ ଥିଲେ ଓ ୨୦୧୯ରେ ଟିଏମସିରେ ଯୋଗ ଦେଇଥିଲେ।
ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାର୍ଟି ନେତା ଜୟରାମ ରମେଶ, କଂଗ୍ରେସ ସାଧାରଣ ସଂପାଦକ ତଥା ପଶ୍ଚିମବଙ୍ଗ ପ୍ରଭାରୀ ଗୁଲାମ ଅହମ୍ମଦ ମୀର ଓ ପ୍ରଦେଶ କଂଗ୍ରେସ ସଭାପତି ଶୁଭଙ୍କର ସରକାରଙ୍କ ଉପସ୍ଥିତିରେ ମୌସମ ନୂର ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି।ମୌସମ ନୂର ମାଲଦାର ପ୍ରଭାବଶାଳୀ ଖାନ ଚୌଧୁରୀ ପରିବାରର ସଦସ୍ୟା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବିଏ ଗନି ଖାନ ଚୌଧୁରୀଙ୍କ ଝିଅ। ତାଙ୍କର କଂଗ୍ରେସରେ ଫେରା ଯୋଗୁଁ ମାଲଦା ସହିତ ମୁସଲିମ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ କଂଗ୍ରେସ ସଂଗଠନ ଆହୁରି ମଜବୁତ ହେବ ବୋଲି ରାଜନୈତିକ ମହଳରେ ଆଲୋଚନା ହେଉଛି।
ମୌସମ ନୂର ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ଟିକେଟରେ ମାଲଦାରୁ ଦୁଇଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ କଂଗ୍ରେସ ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ ଏବଂ ଟିଏମସି ଟିକେଟରେ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ପରାଜିତ ହୋଇଥିଲେ। ପରେ ୨୦୨୦ରେ ଟିଏମସି ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲା। ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଚଳିତ ବର୍ଷ ଏପ୍ରିଲରେ ସମାପ୍ତ ହେବ।
ସୂଚନାଯୋଗ୍ୟ ଯେ, ଆଗାମୀ ବିଧାନସଭା ନିର୍ବାଚନରେ ମୌସମ ନୂର ମାଲଦା ଅଞ୍ଚଳରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି। କଂଗ୍ରେସରେ ଯୋଗଦେବା ପରେ ସେ କହିଛନ୍ତି ଯେ, ଗନି ଖାନ ଚୌଧୁରୀଙ୍କ ପରିବାର ପୁଣିଥରେ କଂଗ୍ରେସ ପାଇଁ କାମ କରିବ ଏବଂ ପଶ୍ଚିମବଙ୍ଗରେ ପାର୍ଟିକୁ ସଶକ୍ତ କରିବା ହିଁ ତାଙ୍କର ଲକ୍ଷ୍ୟ।

