ନ୍ୟୁଜ ଡେକ୍ସ : ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନଙ୍କୁ ନେଇ ପୁଣି ଥରେ ପ୍ରଶଂସକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସ୍ତନ କର୍କଟ ଭଳି ଗମ୍ଭୀର ରୋଗ ସହିତ ସଫଳ ଭାବେ ଲଢ଼ିବା ପରେ, ଏବେ ସେ ଆଉ ଏକ ନୂତନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା କଥା ସ୍ୱୟଂ ସେୟାର କରିଛନ୍ତି।ନିକଟରେ ହିନା ଖାନ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରେ କହିଛନ୍ତି ଯେ ମୁମ୍ବାଇର ବଢୁଥିବା ବାୟୁ ପ୍ରଦୂଷଣ ତାଙ୍କ ସ୍ୱାସ୍ଥ୍ୟକୁ ଗଭୀର ଭାବରେ ପ୍ରଭାବିତ କରୁଛି।
ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ସହ ଲଗାତାର କାଶ ହେଉଥିବା କଥା ମଧ୍ୟ ଜଣାଇଛନ୍ତି, ଯାହା ତାଙ୍କର ଦୈନନ୍ଦିନ କାର୍ଯ୍ୟକଳାପକୁ ବାଧା ଦେଉଛି।ହିନା କହିଛନ୍ତି, “ମୁମ୍ବାଇରେ ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି। ଏହା ଯୋଗୁଁ ମୋ ପାଇଁ ନିଶ୍ୱାସ ନେବା କଷ୍ଟକର ହେଉଛି ଏବଂ ଲଗାତାର କାଶ ମୋତେ ଅସ୍ତବ୍ୟସ୍ତ କରୁଛି। ସ୍ତନ କର୍କଟ ସହିତ ଲଢ଼ିବା ପରେ ଏହି ସମସ୍ୟା ଆହୁରି ଚ୍ୟାଲେଞ୍ଜିଂ ଲାଗୁଛି।”ତାଙ୍କ ଅଭିଜ୍ଞତାକୁ ଆହୁରି ସ୍ପଷ୍ଟ କରିବା ପାଇଁ ହିନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ମୁମ୍ବାଇର ବାୟୁ ଗୁଣବତ୍ତା ସୂଚକାଙ୍କ (AQI)ର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଦ୍ରୁତ ଜୀବନଶୈଳୀ ପାଇଁ ପରିଚିତ ମୁମ୍ବାଇରେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ବାୟୁ ପ୍ରଦୂଷଣ ଗୁରୁତର ସମସ୍ୟା ରୂପେ ଦେଖାଦେଇଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ସହ ସେଲିବ୍ରିଟିମାନଙ୍କ ଉପରେ ମଧ୍ୟ ପଡୁଛି।ହିନା ଖାନଙ୍କ ଏହି ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଚିନ୍ତା ପ୍ରକାଶ କରିବା ସହ ସିଘ୍ର ସୁସ୍ଥତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

