ନ୍ୟୁଜ ଡେକ୍ସ : ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂହ ମଙ୍ଗଳବାର ଦିନ ଗମ୍ଭୀର ହତ୍ୟା ଧମକ ପାଇଥିବା ଖବର ସାମ୍ନାକୁ ଆସିଛି। ଏହି ଧମକ ହ୍ୱାଟସଆପ୍ ଭଏସ୍ ନୋଟ୍ ମାଧ୍ୟମରେ ପଠାଯାଇଥିବା ସୂଚନା ମିଳିଛି, ଯେଉଁଥିରେ ଅଜଣା ଅଭିଯୁକ୍ତମାନେ ତାଙ୍କଠାରୁ କୋଟି କୋଟି ଟଙ୍କା ଦାବି କରିଛନ୍ତି। ଧମକରେ ରଣବୀରଙ୍କ ଜୀବନକୁ ଗୁରୁତର ଝୁମ୍ପକା ରହିଥିବାର ସଙ୍କେତ ମିଳିଥିବାରୁ ମୁମ୍ବାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି।
ଧମକ ମିଳିବା ସହିତସହିତ ମୁମ୍ବାଇ ପୋଲିସ ବାନ୍ଦ୍ରା ସ୍ଥିତ ରଣବୀର ସିଂହଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି, ସିସିଟିଭି ନଜରଦାରୀ ବଢ଼ାଯାଇଛି ଏବଂ ଘରକୁ ଆସୁଥିବା ସମସ୍ତ ଭିଜିଟରଙ୍କ ଉପରେ କଡ଼ା ଯାଞ୍ଚ ଓ ନଜର ରଖାଯାଉଛି। ଏହାସହ ଧମକ ଆସିଥିବା ଫୋନ୍ ନମ୍ବର ଓ ହ୍ୱାଟସଆପ୍ ଆକାଉଣ୍ଟର ପ୍ରାୟୋଗିକ ତଦନ୍ତ ଆରମ୍ଭ କରାଯାଇଛି।ଉଲ୍ଲେଖନୀୟ ଯେ, ଏହି ଘଟଣା ଜାନୁଆରୀ ୩୧ ତାରିଖରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ମୁମ୍ବାଇ ଘର ବାହାରେ ହୋଇଥିବା ୫ ରାଉଣ୍ଡ ଗୁଳିଚାଳନା ଘଟଣା ପରେ ସାମ୍ନାକୁ ଆସିଛି।
ସେହି ଘଟଣା ମୁମ୍ବାଇର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଥିବାବେଳେ, ରଣବୀର ସିଂହଙ୍କୁ ମିଳିଥିବା ଧମକ ପୋଲିସକୁ ଆହୁରି ସତର୍କ କରିଛି। ମୁମ୍ବାଇ ପୋଲିସର ଏକ ବିଶେଷ ଟିମ୍ ଏହି ମାମଲାର ତଦନ୍ତରେ ଲାଗିଛି ଏବଂ ଧମକ ପଠାଇଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣା ବଲିଉଡ ଓ ମୁମ୍ବାଇ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।

