ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ଚଞ୍ଚଳତା ବଢ଼ିଛି। ବିଜେପି ପକ୍ଷରୁ ତିନି ଜଣ ପ୍ରାର୍ଥୀ ଦିଆଯିବ ବୋଲି ସୂଚନା ମିଳିଛି। ଆସନ୍ତା ୫ ତାରିଖରେ ନାମାଙ୍କନ ଦାଖଲ କରାଯିବ।ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ।
ରାଜ୍ୟସଭା ନିର୍ବାଚନକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।ହୋଲି ପରଦିନ ଅର୍ଥାତ୍ ନାମାଙ୍କନ ଦାଖଲର ଶେଷ ଦିନରେ ବିଜେପି ସମର୍ଥିତ ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ତେବେ ଏଯାଏ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯାଇନାହିଁ। ଖୁବଶୀଘ୍ର ସଂସଦୀୟ ବ୍ୟାପାର କମିଟି ଏନେଇ ନିଷ୍ପତ୍ତି ନେବ।ତିନି ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ସମସ୍ତ ୮୦ ଜଣ ବିଧାୟକଙ୍କ ଦସ୍ତଖତ ଗ୍ରହଣ କରାଯାଇଛି। ନାମାଙ୍କନ ଦାଖଲ ଦିନ ସମସ୍ତ ବିଧାୟକ ଉପସ୍ଥିତ ରହିବେ ବୋଲି ସନ୍ତୋଷ ଖଟୁଆ ସୂଚନା ଦେଇଛନ୍ତି।
ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ପାଞ୍ଚ ଜଣ ବିଧାୟକ ବିଧାନସଭାରୁ ରାଜ୍ୟସଭା ନିର୍ବାଚନ ପାଇଁ ୧୬ଟି ସେଟ୍ ପ୍ରାର୍ଥୀ ପତ୍ର କିଣିଛନ୍ତି। ସରୋଜ ପ୍ରଧାନ, ଆଶ୍ରିତ ପଟ୍ଟନାୟକ, ରଘୁନାଥ ଜଗଦଲା, ଦୁଷ୍ମନ୍ତ ସ୍ୱାଇଁ ଓ ପ୍ରତାପ ନାୟକ ଫର୍ମ କିଣିବାକୁ ଯାଇଥିଲେ। ଜଣେ ପ୍ରାର୍ଥୀ ପାଇଁ ଚାରିଟି ହିସାବରେ ମୋଟ ୧୬ଟି ଫର୍ମ କ୍ରୟ କରାଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର କମିଟିର ନିଷ୍ପତ୍ତି ପରେ ପ୍ରାର୍ଥୀ ଘୋଷଣା କରାଯାଇ ନାମାଙ୍କନ ଦାଖଲ କରାଯିବ ବୋଲି ସରୋଜ ପ୍ରଧାନ କହିଛନ୍ତି।

