Thu. Apr 16th, 2026

ନ୍ୟୁଜ ଡେକ୍ସ : ବିଜୁ ପଟ୍ଟନାୟକଙ୍କୁ ନେଇ ପୁଣିଥରେ ରାଜନୈତିକ ମହଳରେ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଭାରତୀୟ ଜନତା ପାର୍ଟିର ସାଂସଦ ନିଶିକାନ୍ତ ଦୁବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି।ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ବିଜୁ ପଟ୍ଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକୀୟ ଗୁପ୍ତଚର ସଂସ୍ଥା ସିଆଇଏ ମଧ୍ୟରେ ଯୋଗସୂତ୍ର ରଖୁଥିଲେ।

୧୯୬୨ ମସିହାର ଚୀନ-ଭାରତ ଯୁଦ୍ଧ ୧୯୬୨ ସମୟରେ ନେହେରୁ ସରକାର ଓ ସିଆଇଏ ମଧ୍ୟରେ ବିଜୁ ବାବୁ ମଧ୍ୟସ୍ଥି ଭାବେ କାମ କରିଥିବା ଅଭିଯୋଗ ଆଣିଛନ୍ତି। ସେହିପରି ଭାରତ ଆମେରିକାର ଆର୍ଥିକ ସହଯୋଗରେ ଚୀନ ବିରୋଧରେ ଯୁଦ୍ଧ କରିଥିବା କଥା ମଧ୍ୟ ସେ କହିଛନ୍ତି।ଏହାସହ କଟକର ଚାରବାଟିଆ ଏୟାରବେସରେ ବିଜୁ ପଟ୍ଟନାୟକଙ୍କ ସହଯୋଗରେ ସିଆଇଏର ଗୁପ୍ତଚର ବିମାନ ଅବତରଣ ଓ ଉଡାଣ କରୁଥିବା ଦାବି କରାଯାଇଛି। ତେବେ ୧୯୬୪ ମସିହାରେ ନନ୍ଦାଦେବୀ ପାହାଡ଼ରେ ଆମେରିକା ସାହାଯ୍ୟରେ ସର୍ଭେଲାନ୍ସ ଯନ୍ତ୍ର ସ୍ଥାପନରେ ବିଜୁ ପଟ୍ଟନାୟକଙ୍କ ଭୂମିକା ଥିବା ଅଭିଯୋଗ ମଧ୍ୟ ଦୁବେ କରିଛନ୍ତି।

ଏହି ବୟାନକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ବିଜୁ ପଟ୍ଟନାୟକ କେବଳ ଓଡିଶାରେ ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ ଏକ ପ୍ରମୁଖ ନେତା ଥିଲେ। ତାଙ୍କ ଭଳି ଜଣେ ମହାନ ବ୍ୟକ୍ତିଙ୍କ ବିରୋଧରେ ଏପରି ମନ୍ତବ୍ୟକୁ ସେ ଅସମ୍ମାନଜନକ ବୋଲି କହିଛନ୍ତି।ଏହି ବିବାଦକୁ ନେଇ ପ୍ରତିବାଦ ସୂଚକ ଭାବେ ସସ୍ମିତ ପାତ୍ର, ନିଶିକାନ୍ତ ଦୁବେ ଅଧ୍ୟକ୍ଷ ଥିବା ସଂସଦୀୟ କମିଟିରୁ ଇସ୍ତଫା ଦେଇଛନ୍ତି। ଏହା ପରେ ରାଜନୈତିକ ମହଳରେ ଏହି ବିଷୟ ନେଇ ଚର୍ଚ୍ଚା ଆହୁରି ବଢ଼ିଛି।

Leave a Reply

Your email address will not be published. Required fields are marked *