ନ୍ୟୁଜ ଡେକ୍ସ : ଚଳିତ ଆଇପିଏଲରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ଭାବରେ ଅଭିଯାନ ଆରମ୍ଭ କରିଛି । ରାଜସ୍ଥାନ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ଏକତରଫା ଭାବରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି ।ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଦଳ ୧୨୭ ରନରେ ଅଲଆଉଟ ହୋଇଯାଇଥିଲା ।
ଜେମୀ ଓଭରଟନଙ୍କ ୪୩ ରନର ଇନିଂସ୍ ଦଳକୁ କିଛି ମର୍ଯ୍ୟାଦା ଦେଇଥିଲା । ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚ୍ଚର, ନାନ୍ଦ୍ରେ ବର୍ଗର ଓ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ୨ଟି କରି ୱିକେଟ ନେଇଥିଲେ ।୧୨୮ ରନର ସହଜ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୋୟାଲ୍ସ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା । ଯଶସ୍ୱୀ ଜୈସୱାଲ ୩୬ ବଲରେ ୩୮ ରନ କରି ଅପରାଜିତ ରହିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ୧୭ ବଲରେ ଦ୍ରୁତ ୫୨ ରନ କରିଥିଲେ । ଧ୍ରୁବ ଜୁରେଲ ୧୮ ଓ ର୍ୟାନ ପରାଗ ୧୪ ରନ ଯୋଗ କରିଥିଲେ ।
ମାତ୍ର ୧୨.୧ ଓଭରରେ ୨ ୱିକେଟ ହରାଇ ରାଜସ୍ଥାନ ଲକ୍ଷ୍ୟ ହାସଲ କରି ନେଇଥିଲା । ଏହି ମ୍ୟାଚରେ ଚେନ୍ନାଇର ଦୁଇ ମୁଖ୍ୟ ଖେଳାଳି ଏମଏସ ଧୋନୀ ଓ ଡେୱାଲ୍ଡ ବ୍ରେଭିସ ଆଘାତ ସମସ୍ୟା ଯୋଗୁଁ ଖେଳିନଥିଲେ । ଟସ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିବା ବେଳେ ସେମାନଙ୍କ ଯୋଜନା ସଫଳ ହୋଇଥିଲା । ଏହି ଜିତ ସହ ରାଜସ୍ଥାନ ଦଳ ଟୁର୍ଣ୍ଣାମେଣ୍ଟରେ ଶକ୍ତିଶାଳୀ ଆରମ୍ଭ କରିଛି ।

