Thu. Apr 16th, 2026

ନ୍ୟୁଜ ଡେକ୍ସ : ଆଜି ସାରା ରାଜ୍ୟରେ ଉତ୍ସାହ ଓ ଗର୍ବର ସହିତ ପାଳନ ହେଉଛି ୯୦ତମ ଉତ୍କଳ ଦିବସ। ଏହି ଐତିହାସିକ ଦିନରେ ଓଡ଼ିଶା ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ପାଇଥିଲା। ଉତ୍କଳର ବରପୁତ୍ରମାନଙ୍କ ଅଦମ୍ୟ ପରିଶ୍ରମ, ସଂଗ୍ରାମ ଓ ନିଷ୍ଠାର ଫଳସ୍ୱରୂପ ୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରିଥିଲା। ସେହି ସ୍ମୃତିମୟ ଦିନକୁ ସ୍ମରଣ କରି ପ୍ରତିବର୍ଷ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ।

ରାଜଧାନୀ ଭୁବନେଶ୍ୱର ସହିତ ସାରା ରାଜ୍ୟ ଆଜି ପର୍ବପରାଣର ମାହୋଲରେ ଡୁବି ଯାଇଛି। ଉତ୍କଳ ଦିବସ ଅବସରରେ ରାଜଧାନୀର ବିଭିନ୍ନ ସରକାରୀ ସୌଧ ଓ କାର୍ଯ୍ୟାଳୟଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି। ଲୋକସେବା ଭବନ, କମିଶନରେଟ ପୋଲିସ କାର୍ଯ୍ୟାଳୟ, ନିର୍ମାଣ ସୌଧ, ଖାରବେଳ ଭବନ, ଜୟଦେବ ଭବନ, ବିଧାନସଭା ଭବନ ଓ ବିଧାନସଭା ରାସ୍ତା ସହ ଓଡ଼ିଶା ଖଣି ନିଗମ ଓ ରାଜ୍ୟ ଅତିଥି ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ସୌଧଗୁଡ଼ିକ ରଙ୍ଗୀନ ଆଲୋକରେ ଝଲମଲ କରୁଛି। ଏହି ସୁନ୍ଦର ସଜାଣି ରାଜଧାନୀକୁ ଏକ ପର୍ବମୟ ରୂପ ଦେଇଛି। ୧୯୩୬ ଏପ୍ରିଲ ୧ ତାରିଖ ଓଡ଼ିଶାର ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହୋଇ ରହିଛି। ଏହି ଦିନରେ ଭାଷାକୁ ଆଧାର କରି ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା।

ଏହା ଭାରତର ଇତିହାସରେ ଏକ ମାଇଲସ୍ଟୋନ୍‌ ଭାବେ ପରିଗଣିତ। ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ତିତ୍ୱକୁ ସୁରକ୍ଷିତ କରିବା ପାଇଁ ଏହି ଆନ୍ଦୋଳନ ହୋଇଥିଲା, ଯାହା ଶେଷରେ ସଫଳତାର ଶିଖରକୁ ପହଞ୍ଚିଥିଲା।୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାକୁ ଦଖଲ କରିଥିଲେ। ସେହି ସମୟରୁ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମାଟିମାତୃକାର ସୁଯୋଗ୍ୟ ସନ୍ତାନମାନେ ନିଜ ଜନ୍ମଭୂମି ପାଇଁ ଅବିରତ ସଂଗ୍ରାମ କରିଥିଲେ। ତାଙ୍କର ଅଦମ୍ୟ ସଂକଳ୍ପ ଓ ତ୍ୟାଗର ଫଳରେ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣ ଆନ୍ଦୋଳନ ୧୯୩୬ ଏପ୍ରିଲ ୧ରେ ସଫଳତାର ଶିଖରକୁ ପହଞ୍ଚିଥିଲା।ଉତ୍କଳ ଦିବସ ଓଡ଼ିଆମାନଙ୍କ ପାଇଁ କେବଳ ଏକ ପର୍ବ ନୁହେଁ, ଏହା ତାଙ୍କର ଅସ୍ମିତା, ଗୌରବ ଓ ଏକତାର ପ୍ରତୀକ।

ଏହି ଦିନ ଓଡ଼ିଆମାନେ ନିଜ ଇତିହାସକୁ ସ୍ମରଣ କରିବା ସହ ଭବିଷ୍ୟତ ପାଇଁ ନୂଆ ସଂକଳ୍ପ ନେଉଛନ୍ତି। ସାରା ରାଜ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଭାତଫେରୀ ଓ ସମ୍ମାନ ସଭା ଆୟୋଜନ କରାଯାଇ ଉତ୍କଳ ଦିବସକୁ ଗମ୍ଭୀର ଓ ଗୌରବମୟ ଭାବରେ ପାଳନ କରାଯାଉଛି। ଏହି ଅବସରରେ ପ୍ରତ୍ୟେକ ଓଡ଼ିଆ ନିଜ ମାଟି ଓ ଭାଷା ପ୍ରତି ଗର୍ବ ଅନୁଭବ କରୁଥିବା ବେଳେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂତନ ଆଶା ଓ ଆକାଂକ୍ଷା ନେଇ ଆଗକୁ ବଢ଼ୁଛନ୍ତି।

Leave a Reply

Your email address will not be published. Required fields are marked *