ନ୍ୟୁଜ ଡେକ୍ସ: ବାଙ୍କେ ବିହାରୀ ମନ୍ଦିରରେ ଚରଣ ଅମୃତ ଭାବି ଏସି ପାଣି ପିଇଗଲେ ଭକ୍ତ । ଏହାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଭକ୍ତମାନେ ଧାଡ଼ି ବାନ୍ଧି ଏକ କପ୍ ସାହାଯ୍ୟରେ ଏସିର ପାଣି ଭରୁଥିବା ଦେଖାଯାଇଛି। ଉତ୍ତରପ୍ରଦେଶର ବୃନ୍ଦାବନରେ ଘଟିଛି ଏଭଳି ଘଟଣା। ମନ୍ଦିରରେ ଥିବା ଏକ ହାତୀ ଆକାରର ପଥରରୁ ପାଣି ଝରୁଥିଲା।
ପାଣିଟି ବାଙ୍କେ ବିହାରୀଙ୍କ ଚରଣରୁ ଆସୁଛି ବୋଲି ଭାବି ଲୋକେ କପ ଦେଖାଇ ଏହାକୁ ସଂଗ୍ରହ କରିବାରେ ଲାଗିପଡ଼ିଥିଲେ। କିଛି ଲୋକେ ଏହାକୁ ପିଇଥିଲେ ମଧ୍ୟ। ହେଲେ ପାଣିଟି ଚରଣ ଅମୃତ ନୁହେଁ ବରଂ ମନ୍ଦିରରେ ଲାଗିଥିବା ଏସିର ପାଣି ବୋଲି କୁହାଯାଉଛି। ସୂଚନା ଅନୁସାରେ, ବୃନ୍ଦାବନରେ ଥିବା ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିର ବହୁତ ପୁରୁଣା। ବର୍ଷା ଜଳ ନିଷ୍କାସନ ପାଇଁ ମନ୍ଦିରର ପ୍ରଥମ ମହଲାରେ ଡ୍ରେନ୍ ରହିଛି। ମନ୍ଦିରରେ ଏହି ଡ୍ରେନଗୁଡ଼ିକର ମୁଖ ହାତୀର ମୁହଁ ପରି। ଯେହେତୁ ମନ୍ଦିରରେ ଏସି ମଧ୍ୟ ଲଗାଯାଇଛି, ତେଣୁ ଏସିରୁ ନିର୍ଗତ ଜଳ ମଧ୍ୟ ଏହି ଡ୍ରେନ୍ ମାଧ୍ୟମରେ ବାହାରକୁ ଛଡ଼ାଯାଏ।
ନିକଟରେ, ମନ୍ଦିର ବୁଲିବା ସମୟରେ ଜଣେ ଭକ୍ତ ଅଜାଣତରେ ଏହି ଏସି ନିର୍ଗତ ଜଳକୁ ଠାକୁର ବଙ୍କେ ବିହାରୀଙ୍କ ଚରଣାମୃତ ଭାବି ପିଇଥିଲେ। ତାଙ୍କୁ ଦେଖି ଅନ୍ୟ ଭକ୍ତମାନେ ମଧ୍ୟ ସମାନ ଭାବରେ ଏହି ଜଳକୁ ପିଇବା ଆରମ୍ଭ କରିଥିଲେ। ସେବେଠାରୁ ଏହି ଜଳକୁ ପିଇବା ପାଇଁ ଏହି ଡ୍ରେନ ନିକଟରେ ଭକ୍ତଙ୍କ ଗହଳି ଜମୁଛି। ମନ୍ଦିର ପୂଜାରୀ ମଧ୍ୟ ଏହା ଚରଣାମୃତ ନୁହେଁ, ବରଂ ଏସି ନିର୍ଗତ ଜଳ ବୋଲି ସ୍ପଷ୍ଟ କରିଥିବା ଜଣାପଡ଼ିଛି।