ନ୍ୟୁଜ ଡେକ୍ସ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ସହ ମୁହାମୁହିଁ ଧକ୍କା ହେଲା ବସ୍। ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଉତ୍ତରପ୍ରଦେଶ ଅଲିଗଡ ଜିଲ୍ଲାର ଯମୁନା ଏକ୍ସପ୍ରେସଓ୍ବେରେ ଏହି ଘଟଣା ଘଟିଥିବା ଜଣାପଡିଛି ।
ସୂଚନା ମୁତାବକ, ଡବଲ ଡେକର୍ ଘରୋଇ ବସ୍ଟି ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଆଜମଗଡ଼ ଯାଉଥିଲା। ତେବେ ଏତିକି ବେଳେ ଯମୁନା ଏକ୍ସପ୍ରେସ୍ଓ୍ୱେ ୫୬ ନମ୍ବର ଜାତୀୟ ରାଜପଥରେ ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ଆସି ବସ୍ଟି ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ବସର ଆଗ ଭାଗ ପୂରାପୁରି ଭାଙ୍ଗି ଚୂରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଜଣେ ମହିଳା ଓ ଏକ ୫ ମାସର ଶିଶୁ ମଧ୍ୟ ରହିଛି।
ମୃତଦେହ ଗୁଡିକ ବସ୍ ଭିତରେ ଫଶି ରହିଥିବା ବେଳେ କଟର୍ରେ କାଟି ସେମାନଙ୍କୁ ବାହାର କରାଯାଇଛି।ସେହିପରି ଦୁର୍ଘଟଣାରେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଜେଓ୍ୱରା କୈଳାଶ ହସ୍ପିଟାଲରେ ଭର୍ତ୍ତି କରିଛି। ଏମାନଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହାବ୍ୟତୀତ ମୃତଦେହଗୁଡିକ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।