Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗୁଜରାଟର ସୁରଟରେ ଜଣେ ୩୪ ବର୍ଷୀୟ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ହେଲେ ହଠାତ୍‌ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ଡିସିପି ବିଜୟ ସିଂହ ଗୁର୍ଜାର ସୂଚନା ଦଇେଛନ୍ତି ।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ଦୀପିକା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପଛର କାରଣ ସଂପର୍କରେ ଡିସିପି କହିଛନ୍ତି ଯେ, ଦୀପିକା ଓ୍ବାର୍ଡ ୩୦ର କର୍ପୋରେଟର ଚିରାଗ ସୋଲଙ୍କିଙ୍କୁ ଭାଇ ଭଳି ସ୍ନେହ କରୁଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ଦୀପିକା, ସୋଲଙ୍କିକୁ ଫୋନ୍ କରି ଚାପରେ ଅଛନ୍ତି ବୋଲି କହିବା ସହ ଜୀବନ ହାରିବାକୁ ଚାହୁଁଥିବା କହିଥିଲେ । ଏହା ଶୁଣିବା ପରେ ସୋଲଙ୍କି ବିଜେପି ନେତ୍ରୀଙ୍କ ଘରେ ପହଞ୍ଚିଥିଲେ ।ଦୀପିକାଙ୍କ ପାଖରୁ କୌଣସି ଉତ୍ତର ନପାଇବାରୁ କର୍ପୋରେଟର ତାଙ୍କ ବେଡରୁମ୍ର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଦୀପିକା ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଥିବା ସେ ଦେଖିଥିଲେ ବୋଲି ଡିସିପି କହିଛନ୍ତି ।

ସେପଟେ ସୋଲଙ୍କି ବିଜେପି ନେତ୍ରୀଙ୍କ ଘରେ ପହଞ୍ଚିବା ବେଳକୁ ତାଙ୍କ ପତି ସେଠାରେ ନଥିଲେ । ଦୀପିକାଙ୍କ ପିଲାମାନେ ଘରେ ଥିଲେ । ସୋଲଙ୍କି ସାଙ୍ଗେସାଙ୍ଗେ ଦୀପିକା ପଟେଲଙ୍କୁ ପାଖରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍‌ ଦୀପିକାଙ୍କ ସ୍ୱାମୀ, ପିଲା ଓ ପରିବାର ଲୋକଙ୍କ ସହ କଥା ହୋଇଛି। ହେଲେ ସେମାନେ କାହା ଉପରେ ବି ସନ୍ଦେହ ପ୍ରକାଶ କରିନାହାନ୍ତି। ପୁଲିସ୍‌ କିନ୍ତୁ ଘଟଣାକୁ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *