Sat. Feb 21st, 2026

ନ୍ୟୁଜ ଡେକ୍ସ : ବାଂଲାଦେଶର ରାଜନୀତିକ ଇତିହାସରେ ଏକ ଯୁଗର ଅବସାନ ଘଟିଛି। ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଓ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ଅଧ୍ୟକ୍ଷା ଖାଲେଦା ଜିଆଙ୍କ ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ବିଏନପିର ଅଫିସିଆଲ୍ ପେଜ ଅନୁସାରେ, ମଙ୍ଗଳବାର ସକାଳ ୬ଟାରେ ନମାଜ ପରେ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି।

ତାଙ୍କ ନିଧନ ସମ୍ପର୍କରେ ବିଏନପି ସାଧାରଣ ସମ୍ପାଦକ ଫଖରୁଲ ଇସ୍ଲାମ ଆଲମଗିର ଓ ଦଳର ମିଡ଼ିଆ ଶାଖା ଅଧ୍ୟକ୍ଷ ଶମସୁଦ୍ଦୀନ ଦୀଦାର ସରକାରୀଭାବେ ସୂଚନା ଦେଇଛନ୍ତି। ଖାଲେଦା ଜିଆ ଦୀର୍ଘଦିନ ଧରି ଅନେକ ଦୂରାରୋଗରେ ପୀଡ଼ିତ ଥିଲେ। ତାଙ୍କ ହୃଦୟ, ଲିଭର୍ ଓ କିଡ଼ନୀ ସମସ୍ୟା ସହିତ ମେଦବହୁଳତା ଓ ଆର୍ଥାଇଟିସ୍‌ ଭଳି ରୋଗ ମଧ୍ୟ ଥିଲା। ସମ୍ପ୍ରତି ଲଣ୍ଡନରେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ରହିବା ପରେ ସେ ମେ ୬ ତାରିଖରେ ସ୍ୱଦେଶ ଫେରିଥିଲେ ଏବଂ ଢାକାର ଏଭରକେୟାର ହସ୍ପିଟାଲରେ ନିୟମିତ ଚିକିତ୍ସା ହେଉଥିଲେ।

ଉଲ୍ଲେଖନୀୟ ଯେ, ତାଙ୍କ ପୁଅ ତାରିକ୍ ରେହମାନ ଦୀର୍ଘ ୧୭ ବର୍ଷ ପରେ ଲଣ୍ଡନରୁ ବାଂଲାଦେଶ ଫେରିଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି। ଖାଲେଦା ଜିଆ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କର ଏକ ଦୃଢ଼ ଓ ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବେ ପରିଚିତ ଥିଲେ।ବିବାହ ପୂର୍ବରୁ ତାଙ୍କ ନାମ ଖାଲେଦା ଖାନମ ପୁତୁଲ ଥିଲା। ଭାରତ ବିଭାଜନ ପରେ ୧୯୪୭ ମସିହାରେ ସେ ନିଜ ପରିବାର ସହ ଦିନାଜପୁର ଚାଲିଯାଇଥିଲେ। ୧୯୬୫ ମସିହାରେ ସେ ପାକିସ୍ତାନ ସେନାର କ୍ୟାପଟେନ୍ ଜିଆଉର ରହମାନଙ୍କୁ ବିବାହ କରି ପାକିସ୍ତାନ ଚାଲିଯାଇଥିଲେ। ବିବାହ ପରେ ସେ ନିଜ ନାମ ଖାଲେଦା ଜିଆ ରଖିଥିଲେ। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଜିଆଉର ରହମାନ ପାକିସ୍ତାନ ସେନାରେ ନିୟୋଜିତ ଥିଲେ।ତାଙ୍କ ସ୍ୱାମୀ ଜିଆଉର ରହମାନ ୧୯୭୭ ମସିହାରେ ବାଂଲାଦେଶର ରାଷ୍ଟ୍ରପତି ହୋଇଥିଲେ।

୧୯୮୧ ମେ ୩୦ ତାରିଖରେ ସ୍ୱାମୀଙ୍କ ହତ୍ୟା ପରେ ଖାଲେଦା ଜିଆ ସକ୍ରିୟ ରାଜନୀତିକୁ ପ୍ରବେଶ କରିଥିଲେ। ୧୯୮୨ ଜାନୁୟାରୀ ୨ ତାରିଖରେ ସେ ବିଏନପିର ସଦସ୍ୟତା ଗ୍ରହଣ କରିଥିଲେ ଏବଂ ୧୯୮୪ ମେ ୧୦ ତାରିଖରେ ବିଏନପିର ଦାୟିତ୍ୱ ନେଇଥିଲେ। ୧୯୯୧ ମସିହାରେ ଖାଲେଦା ଜିଆ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ଇତିହାସ ରଚନା କରିଥିଲେ। ସେ ଦୁଇଥର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ—୧୯୯୧ରୁ ୧୯୯୬ ଏବଂ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ।

ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ସେ ବାଂଲାଦେଶର ଗଣତନ୍ତ୍ର, ରାଜନୀତିକ ସଂଘର୍ଷ ଓ ସତ୍ତା ପରିବର୍ତ୍ତନର ଏକ ପ୍ରମୁଖ ମୁହଁ ଭାବେ ପରିଚିତ ଥିଲେ।ଖାଲେଦା ଜିଆଙ୍କ ନିଧନରେ ବାଂଲାଦେଶ ସହିତ ସମଗ୍ର ଦକ୍ଷିଣ ଏସିଆର ରାଜନୀତିକ ମହଳରେ ଶୋକର ଛାୟା ଛାଇଯାଇଛି। ତାଙ୍କ ଦେହାନ୍ତକୁ ନେଇ ଦେଶ-ବିଦେଶରୁ ଶୋକବାର୍ତ୍ତା ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *