ନ୍ୟୁଜ ଡେକ୍ସ : ଆସନ୍ତା ଦଶହରା ଅବସରରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ଆସୁଛି ନୂଆ ଓଡ଼ିଆ ସିନେମା ‘ମୋନଷ୍ଟର୍: ଦ ଅଲ୍ଟିମେଟ୍’। ଏହି ସିନେମାର ବିଶେଷତା ହେଉଛି ଏଥିରେ ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ବହୁତ ଗୁରୁତ୍ୱ ଦିଆଯାଇଛି। ପ୍ରଥମଥର ପାଇଁ ଓଲିଉଡ୍ରେ ରୋବୋଟିକ୍ ଆର୍ମ ମେସିନ୍ର ବ୍ୟବହାର ଦେଖିବାକୁ ମିଳିବ ବୋଲି କୁହାଯାଉଛି, ଯାହା ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ।
ଓଲିଉଡ୍ର ଯୁବ ପ୍ରତିଭା ଆଦିତ୍ୟ ଏହି ସିନେମା ମାଧ୍ୟମରେ ବଡ଼ ଧରଣର ଧମାକା କରିବାକୁ ଫେରୁଛନ୍ତି। ସିନେମାଟିର ନିର୍ଦ୍ଦେଶନା ଦେଉଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ। ପ୍ରଯୋଜନା ଦାୟିତ୍ୱ ଦେବରାଜ ବିଧାର ନେଇଥିବା ବେଳେ କାହାଣୀ ଓ ଚିତ୍ରନାଟ୍ୟ ଆଦିତ୍ୟ ନିଜେ ଲେଖିଛନ୍ତି।ସିନେମାର ସଂଳାପ ଅମିତ କୁମାର ଦାଶ ଓ ପ୍ରଣବ ପ୍ରସନ୍ନ ରଥ ଲେଖିଥିବା ବେଳେ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ ଓ ଆଶିଷ ପ୍ରଧାନ। ସିନେମାଟୋଗ୍ରାଫିର ଦାୟିତ୍ୱ ସମ୍ଭାଳିଛନ୍ତି ଦୀପକ କୁମାର।ଗୋପୀନାଥ ମୋସନ୍ ପିକ୍ଚର୍ସ ନିବେଦିତ ଏହି ଆକ୍ସନ୍ ଫିଲ୍ମଟି ଦର୍ଶକଙ୍କୁ ଚମତ୍କାରୀ ଅନୁଭବ ଦେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଓଡ଼ିଆ ସିନେମା ‘ଆଇ ଲଭ୍ ୟୁ-୨’ ପରେ ସାମୟିକ ବିରତି ନେଇଥିବା ଅଭିନେତା ଆଦିତ୍ୟ ଏବେ ପୁଣିଥରେ ଦର୍ଶକଙ୍କ ସମ୍ମୁଖରେ ଆସୁଛନ୍ତି ଏହି ଆକ୍ସନ୍ ଥ୍ରିଲର୍ ସହ।
ସିନେମାରେ ଆଦିତ୍ୟଙ୍କ ନାୟିକା ଭୂମିକାରେ ଦିବ୍ୟଜ୍ୟୋତି ତ୍ରିପାଠୀ ଅଭିନୟ କରୁଛନ୍ତି। ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖାଯିବେ। ଏହାସହ ଇଣ୍ଡଷ୍ଟ୍ରିର ଅନ୍ୟାନ୍ୟ ପରିଚିତ କଳାକାରମାନେ ବି ବିଭିନ୍ନ ଭୂମିକାରେ ରହିଛନ୍ତି।ସୂଚନା ଅନୁସାରେ ଏହି ଫିଲ୍ମ ନିର୍ମାଣ ପାଇଁ ୩ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ଆଧୁନିକ ପ୍ରଯୁକ୍ତି ଓ ଆକ୍ସନ୍ ଭରପୁର ଏହି ସିନେମା ଦଶହରାରେ ଦର୍ଶକଙ୍କ ପାଇଁ ଏକ ବଡ଼ ଆକର୍ଷଣ ହେବ ବୋଲି ଆଶା କରାଯାଉଛି।

