ନ୍ୟୁଜ ଡେକ୍ସ : “ତଟକା ପରିବା ଖାଇବା, ନିରୋଗ ଆମେ ରହିବା” — ପିଲାବେଳରୁ ପଢି ଆସୁଥିବା ଏହି ପାଠ ଆଜି ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ସବୁଜ ତଟକା ପରିବା ଦେହ ପାଇଁ ମହାଔଷଧୀ ସମାନ, ଯାହାକୁ ଡାକ୍ତରମାନେ ମଧ୍ୟ ଦୈନିକ ଖାଦ୍ୟ ତାଲିକାରେ ରଖିବାକୁ ପରାମର୍ଶ ଦେଇଥାନ୍ତି।ପରିବାମାନଙ୍କ ମଧ୍ୟରେ ସଜନା ଛୁଇଁ (Drumstick) କିମ୍ବା ଆୟୁର୍ବେଦ ଭାଷାରେ “ଶିଗରୁ” ନାମରେ ପରିଚିତ ଏହି ଶାକ ଅନେକ ଔଷଧୀୟ ଗୁଣରେ ଭରପୂର।
ସଜନା ଶାଗ ଓ ଏହାର ପତ୍ର, ମଞ୍ଜି ଏବଂ ଫୁଲ ଦେହ ପାଇଁ ଅତ୍ୟନ୍ତ ଲାଭଦାୟକ।ଆୟୁର୍ବେଦ ଛାତ୍ର ଦର୍ଶନ ପଟେଲ୍ କହିଛନ୍ତି, ସଜନା ଛୁଇଁରେ ଥିବା ଭିଟାମିନ A, ଭିଟାମିନ C, ନିକୋଟେନିକ୍ ଏସିଡ୍ ଏବଂ ଏମିନୋ ଏସିଡ୍ ଦେହକୁ ଶକ୍ତିଶାଳୀ ରଖେ। ଏହାଛଡ଼ା, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ଆଇରନ୍ ଭଳି ତତ୍ତ୍ବ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ। ଛୋଟପିଲା ଓ ଗର୍ଭବତୀ ମହିଳାଙ୍କ ପାଇଁ ସଜନା ଛୁଇଁ ବିଶେଷ ଭାବେ ଲାଭଦାୟକ। କ୍ୟାଲସିୟମ୍ରେ ଭରପୂର ଥିବାରୁ ଏହା ହାଡ଼ ଓ ଦାତକୁ ମଜବୁତ କରେ। ଏଥିରୁ ମିଳୁଥିବା ଭିଟାମିନ୍ C ଦେହର ଇମ୍ୟୁନିଟି ସିଷ୍ଟମ୍କୁ ମଜବୁତ କରିଥାଏ, ଯାହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
ସଜନା ଛୁଇଁରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍, ଆଣ୍ଟି-ଇନଫ୍ଲାମେଟରୀ ଓ ଏକ୍ସପେକ୍ଟୋରେଣ୍ଟ୍ ଗୁଣ ଡାଏବେଟିସ୍, କାଶ, କୋଲେଷ୍ଟ୍ରୋଲ୍ ଓ ଥାଇରଏଡ୍ ଭଳି ରୋଗ ନିବାରଣରେ ସହାୟକ। ଆୟୁର୍ବେଦ ଅନୁସାରେ ଏହି ପରିବା ଚକ୍ଷୁ ଓ ତ୍ବଚା ରୋଗ ପାଇଁ ମଧ୍ୟ ଉପକାରୀ।ଏହା ସହିତ ସଜନା ପତ୍ର ଓ ମୂଳରେ କ୍ୟାନ୍ସର, ବିଶେଷକରି ଓଭାରିଆନ୍ କ୍ୟାନ୍ସର, ପ୍ରତିରୋଧକ ଗୁଣ ରହିଛି। ଏହି କାରଣରୁ ଅନେକ ଔଷଧ ନିର୍ମାଣରେ “ମୋରିଙ୍ଗା ପାଉଡର୍” ଭାବେ ଏହାର ବ୍ୟବହାର ହୋଇଥାଏ। ସଜନା ଶାଗ ବା ଛୁଇଁର ସୁପ୍ ନିୟମିତ ଭାବେ ଖାଇଲେ ଓଜନ ନିୟନ୍ତ୍ରଣରେ ରହିବା ସହ ଦେହ ସୁସ୍ଥ ଓ ସୁସଜ୍ଜିତ ହୁଏ।ସେପଟେ, ଆୟୁର୍ବେଦ ଓ ଆଧୁନିକ ଚିକିତ୍ସା ଦୁହେଁ ଏହାକୁ “ସ୍ବାସ୍ଥ୍ୟର ଗହଣା” ବୋଲି ଖ୍ୟାତି ଦେଇଛନ୍ତି।

