ନ୍ୟୁଜ ଡେକ୍ସ : ରାଜ୍ୟରେ ଶୀତ ପଡ଼ିବା ସହ ଥଣ୍ଡା, ଜ୍ୱର ଓ କାଶରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ଛୋଟ ପିଲାମାନେ ଏହି ସମୟରେ ଅଧିକ ପ୍ରଭାବିତ ହେଉଛନ୍ତି। ଏଥିସହ ଦୀର୍ଘଦିନ ଧରି ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ରୋଗୀମାନଙ୍କ ଯନ୍ତ୍ରଣା ଶୀତ ଆସିଲେ ବେଶି ବଢ଼ିଯାଉଛି।ଶୀତ ଋତୁରେ ଥଣ୍ଡା ଓ ଜ୍ୱର ଠାରୁ ରକ୍ଷା ପାଇଁ ଅଧିକାଂଶ ଲୋକ ଏଲୋପାଥିକ ଔଷଧ ଓ କାଶ ଶିରପରେ ନିର୍ଭର କରୁଛନ୍ତି।
କିନ୍ତୁ ଆୟୁର୍ବେଦ ଓ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଏହି ସମସ୍ୟାଗୁଡ଼ିକୁ ଅନେକ ମାତ୍ରାରେ ଦୂର କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।ଆୟୁର୍ବେଦ ବିଶେଷଜ୍ଞଙ୍କ କହିବା ଅନୁସାରେ, ତୁଳସୀ ପତ୍ରର ରସ ବ୍ୟବହାର କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଏବଂ ଥଣ୍ଡା–କାଶ ଭଳି ସମସ୍ୟାରୁ ରାହାତ ମିଳେ। ସେହିପରି ଅଁଳା, ଘିକୁଅାଁରୀ (ଏଲୋଭେରା) ଓ ତେଜପତ୍ର ଭଳି ଔଷଧିୟ ଗଛଗୁଡ଼ିକୁ ବ୍ୟବହାର କଲେ ଶୀତଜନିତ ରୋଗରୁ ଉପଶମ ମିଳିଥାଏ। ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି, ଶୀତଦିନରେ ସେମାନଙ୍କ ଯନ୍ତ୍ରଣା ଅଧିକ ବଢ଼ିଯାଏ। ଏହା ପାଇଁ ଆୟୁର୍ବେଦରେ ବିଭିନ୍ନ ଚେରମୂଳରୁ ପ୍ରସ୍ତୁତ ଔଷଧ ଓ ତେଲ ରହିଛି, ଯାହାର ମାଲିଶ୍ ଓ ସେବନ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ରାହାତ ମିଳିଥାଏ ବୋଲି ବିଶେଷଜ୍ଞମାନେ ଜଣାଇଛନ୍ତି।
ଏଥିସହ ଶୀତ ଆସିଲେ ଅଧିକାଂଶ ଲୋକ ଚର୍ମ ରୋଗ, ଶୁଷ୍କତା, ଖୁଜୁଲି ଭଳି ସମସ୍ୟାରେ ପୀଡ଼ିତ ହୋଇଥାନ୍ତି। ଏହାର ମଧ୍ୟ ଘରୋଇ ଆୟୁର୍ବେଦିକ ଉପଚାର ରହିଛି, ଯାହାକୁ ଲୋକେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଏଥିପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଚେରମୂଳ ରାଜ୍ୟର କିଛି ସ୍ଥାନ ସହିତ ଅନ୍ୟ ରାଜ୍ୟରୁ ମଧ୍ୟ ସଂଗ୍ରହ କରାଯାଉଛି।ଚିକିତ୍ସକମାନେ ଶୀତକାଳରେ ସାବଧାନତା ସ୍ୱରୂପ ଗରମ ପୋଷାକ ପିନ୍ଧିବା, ଗରମ ପାନୀୟ ସେବନ, ସଠିକ୍ ଆହାର ଏବଂ ଅନାବଶ୍ୟକ ଥଣ୍ଡାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

